ଫୁସଫୁସକୁ ଶୀଘ୍ର ସଂକ୍ରମିତ କରେ ଡେଲଟା ପ୍ଲସ୍ ଭାରିଆଣ୍ଟ୍, ସରକାରୀ ବିଶେଷଜ୍ଞଙ୍କ ତଥ୍ୟ ପରେ ବଢିଲା ଭୟ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ, ୨୮/୦୬:  ଦେଶରେ ନୂଆ ଆତଙ୍କ ସୃଷ୍ଟି କରିଛି କରୋନାର ଡେଲଟା ପ୍ଲସ୍ ଷ୍ଟ୍ରେନ୍ । ଭାଇରସର ଏହି ଭାରିଆଣ୍ଟ  ଅନେକ ରାଜ୍ୟରେ ଚିହ୍ନଟ ହେଲାଣି । ଏହାକୁ ନେଇ ନ୍ୟାଶନାଲ ଆଡଭାଇଜାରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ବା ଏନଟିଏଜିଆଇ ଏକ ବଡ ଖୁଲାସା କରିଛି । ଏନଟିଏଜିଆଇ ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା କହିଛନ୍ତି ଯେ, କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ୍ ଅତିଶୀଘ୍ର ଫୁସଫୁସକୁ ସଂକ୍ରମିତ କରିଥାଏ । କିନ୍ତୁ ଏହାର ମାନେ ଭାଇରସ ଅଧିକ ଘାତକ ବା ସଂକ୍ରମିତ ନୁହେଁ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏବେସୁଦ୍ଧା ୧୨ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର ୫୧ଟି ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଡାକ୍ତର ଆରୋରା ଆହୁରି ମଧ୍ୟ କହିଛନ୍ତି ଯେ, ଡେଟା ପ୍ଲସ୍ ଫୁସଫୁସକୁ କ୍ଷତି ପହଁଚାଇଥାଏ ସେନେଇ କୌଣସି ପ୍ରମାଣ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡେଲଟା ପ୍ଲସ୍ ବାବଦରେ ଅଧିକ ତଥ୍ୟ ସେତେବେଳେ ମିଳିବ ଯେତେବେଳେ ଅଧିକରୁ ଅଧିକ ମାମଲା ସାମ୍ନାକୁ ଆସିବ । ଏହି ରୋଗରେ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଟିକାର ପ୍ରଥମ କିମ୍ବା ଉଭୟ ଡୋଜ୍ ନେଇଛନ୍ତି । ଫଳରେ ସେତେଟା କେହି ଗୁରୁତର ହୋଇନାହାଁନ୍ତି । ତଥାପି ନୂଆ ଭାରିଆଣ୍ଟ ଉପରେ କଡା ନଜର ରଖାଯାଇଛି ।

ଡାକ୍ତର ଆରୋରା ଆହୁରି ମଧ୍ୟ କହିଛନ୍ତି ଯେ, ଡେଲଟା ପ୍ଲସ୍ ଭାରିଆଣ୍ଟର ଆହୁରି ଅଧିକ ମାମଲା ଥାଇପାରେ । ଅନେକ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ତେଣୁ ଭାରିଆଣ୍ଟ ବାବଦରେ ତଥ୍ୟ ମିଳିପାରି ନାହିଁ । ଅଧିକାଂଶ ବିନା ଲକ୍ଷଣଙ୍କଠାରେ ଡେଲଟା ପ୍ଲସ୍ ଠାବ ହୋଇଛି । ଏହାକୁ ନେଇ ଦେଶରେ ପୂର୍ବରୁ ଜିନୋମ୍ ସିକ୍ୱେନ୍ସିଂ କରାଯାଉଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.