ଆମେରିକୀୟ କମ୍ପାନିରେ ଛଟେଇ ପର୍ବ ଜାରି, ଏବେ ଡେଲ୍ ବାହାର କରିବ ୬,୬୫୦ କର୍ମଚାରୀ
6/02/2023 at 3:57 PM

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଗୁଡିକ ଦ୍ୱାରା ଜାରି ଛଟେଇ ପ୍ରକ୍ରିୟାରେ ଏବେ ଡେଲ୍ ଟେକ୍ନୋଲଜିସ ସାମିଲ ହୋଇ ନିଜ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖିବାକୁ ଯାଉଛି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଡେଲ୍ ଟେକ୍ନୋଲଜି କର୍ମଚାରୀଙ୍କ ଉପରେ ଛଟେଇ ଖଣ୍ଡା ଝୁଲୁଛି । ଡେଲ ନିଜର ପ୍ରାୟ ୬୬୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଏହି ସଂଖ୍ୟା ଏହାର ଗ୍ଲୋବାଲ ୱାର୍କଫୋର୍ସର ୫ ପ୍ରତିଶତ ଅଟେ ।
ଡେଲର ସିଓଓ ଜେଫ୍ କ୍ଲାର୍କ କହିଛନ୍ତି, ବଜାରରେ ଥିବା ଅନିଶ୍ଚିତା ସ୍ଥିତିକୁ କମ୍ପାନି ଅନୁଭବ କରୁଛି । ନିଜ କର୍ମଚାରୀଙ୍କୁ ଲେଖିଥିବା ପତ୍ରରେ କ୍ଲାର୍କ କହିଛନ୍ତି ଯେ ଆମେ ବଜାରର ସ୍ଥିତି ଉପରେ ନିର୍ଭର ଅଟୁ ଏବଂ କମ୍ପାନି ନିଜର ଶ୍ରମ ଶକ୍ତି ହ୍ରାସ କରିବାକୁ ଯାଉଛି । ଏହାସହ କ୍ଲାର୍କ ଲେଖିଛନ୍ତି,’ଆମେ ପୂର୍ବରୁ ମଧ୍ୟ ମନ୍ଦାବସ୍ଥାର ସାମନା କରିଛୁ ଏବଂ ଆମେ ଅଧିକ ମଜଭୁତ ହୋଇ ସାମନାକୁ ଆସିଛୁ’ । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଡେଲ ୨୦୨୨ରେ କରୋନା ସମୟରେ ଛଟେଇ ଘୋଷଣା କରିଥିଲା ।
ମାଇକ୍ରୋସଫ୍ଟ, ଆମାଜନ ଏବଂ ଗୋଲ୍ଡମ୍ୟାନ ସାକ ପରି ଆମେରିକୀୟ କମ୍ପାନି ହଜାର ହଜାର କର୍ମଚାରୀଙ୍କୁ ଚାକିରିକୁ ବାହାର କରିସାରିଛନ୍ତି । ନିକଟରେ ମାଇକ୍ରୋସଫ୍ଟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଥିଲା । ଗୁଗଲର ପେରେଣ୍ଟ କମ୍ପାନି ଆଲ୍ଫାବେଟ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିସାରିଛି । ଆମେରିକାରେ ଛଟେଇ ଜାନୁଆରୀରେ ଗତ ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛିଥିଲା । ଟେକ୍ କମ୍ପାନି ଗୁଡିକ ମନ୍ଦାବସ୍ଥାର ଭୟରେ କର୍ମଚାରୀଙ୍କୁ ବାହାର କରୁଛନ୍ତି ।