ହାଙ୍ଗଝୋଉ୧୮।୯: ଜନୈକ ଡେଲିଭରି ଏଜେଣ୍ଟଙ୍କ ଦୁଃଖଦ ମୃତ୍ୟୁ ଏବେ ଚୀନ୍ ସୋସିଆଲ ମିଡିଆରେ ଡେଲିଭରୀ ଡ୍ରାଇଭରଙ୍କ ଅଧିକାର ଓ କଲ୍ୟାଣକୁ ନେଇ ବିତର୍କ ସୃଷ୍ଟି କରିଛି। ୫୫ ବର୍ଷ ବୟଷ୍କ ଡେଲିଭରି ଏଜେଣ୍ଟ ୧୮ ଘଣ୍ଟାର ସିଫ୍ଟରେ କାମ କରି ତାଙ୍କ ଇଲେକ୍ଟ୍ରିକ୍ ବାଇକ ଉପରେ ବିଶ୍ରାମ କରୁଥିବା ବେଳେ ସବୁଦିନ ପାଇଁ ଶୋଇଯାଇଛନ୍ତି । ପୂର୍ବ ଚୀନର ଝେଜିୟାଙ୍ଗ ପ୍ରାନ୍ତର ହାଙ୍ଗଝୋଉରେ ସେପ୍ଟେମ୍ବର ୬ ତାରିଖରେ ଏହି ଘଟଣା ଘଟିଛି।
ଡେଲିଭରି ଏଜେଣ୍ଟଙ୍କ ଭିଡିଓ ଅନଲାଇନରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚୀନ୍ରେ ସାର୍ବଜନିକ ବିତର୍କ ଆରମ୍ଭ ହୋଇଯାଇଛି। ଖବର ଅନୁସାରେ ଡେଲିଭରି ଏଜେଣ୍ଟ ଫୁଡ ଡେଲିଭରି କରୁଥିଲେ। ସେ ୧୮ ଘଣ୍ଟାର ସିଫ୍ଟ କରୁଥିଲେ, କେତେକ ଅର୍ଡର ପୁରା କରିସାରିଥିବା ବେଳେ ରାସ୍ତାରେ ତାଙ୍କ ଇଲେକ୍ଟ୍ରିକ୍ ବାଇକରେ ଆରାମ କରୁଥିବା ବେଳେ ଚିର ନିଦ୍ରାରେ ଶୋଇଯାଇଛନ୍ତି। ୟୁଆନ ନାମକ ଏହି ଡେଲିଭରୀ ଏଜେଣ୍ଟ ଦୈନିକ ୫୦୦ରୁ ୬୦୦ ୟୁଆନ (୭୦-୮୫ ଡଲାର) ପର୍ଯ୍ୟନ୍ତ ଉପାର୍ଜନ କରିପାରୁଥିଲେ।
ୟୁଆନଙ୍କ ସିଫ୍ଟ ୫ ସେପ୍ଟେମ୍ବର ରାତି ୯ଟାରୁ ଆରମ୍ଭ ହୋଇଥିଲା ଓ ତା ପରଦିନ ମଧ୍ୟାହ୍ନ ଗୋଟାଏ ବେଳେ ତାଙ୍କ ରିଲିଭର ଆସି ଦେଖିବା ବେଳକୁ ସେ ଚିର ନିଦ୍ରାରେ ଶୋଇସାରିଥିଲେ। ତାଙ୍କ କାମ ପାଇଁ ୟୁଆନଙ୍କୁ ‘ଅର୍ଡର କିଙ୍ଗ’ କୁହାଯାଉଥିଲା। ସେ କେବେ କେବେ ଭୋର ୩ଟା ପର୍ଯ୍ୟନ୍ତ କାମ କରୁଥିଲେ ଓ ପୁଣି ସକାଳ ୬ଟାରେ ଉଠି କାମରେ ଲାଗି ପଡୁଥିଲେ। ସେ ଯେବେବି ଥକି ଯାଉଥିଲେ ତାଙ୍କ ବାଇକ ଉପରେ ଢୁଳେଇ ପଡୁଥିଲେ ଓ ଅର୍ଡର ମିଳିବାମାତ୍ରେ ପୁଣି କାମକୁ ଫେରିବାକୁ ପ୍ରସ୍ତୁତ ହୋଇଯାଉଥିଲେ।
ୟୁଆନଙ୍କ ଜଣେ ସହଯୋଗୀ କହିଛନ୍ତି ଯେ ମାସକ ପୂର୍ବରୁ ସେ ଏକ ଅର୍ଡର ସର୍ଭ କରିବାକୁ ଯାଇଥିବା ବେଳେ ତାଙ୍କ ଗୋଡ ଫ୍ରାକ୍ଚର ହୋଇଥିଲା। ଏଣୁ ସେ ୧୦ ଦିନ ଛୁଟିରେ ଯାଇଥିଲେ। ତେବେ ଛୁଟିରୁ ଫେରିବାର୨ ସପ୍ତାହ ପରେ ତାଙ୍କର ପରଲୋକ ହୋଇଛି। ୟୁଆନଙ୍କ ୧୬ ବର୍ଷ ପୁଅଟିଏ ଝାଙ୍ଗଝୁରେ ପଢୁଛି। ଆଉ ଜଣେ ବଡ ପୁଅ ବି ଅଛନ୍ତି ଯିଏ ବିବାହିତ ଓ ତାଙ୍କର ସନ୍ତାନସନ୍ତତି ବି ଅଛନ୍ତି। ଘଟଣାର ଜବାବରେ ଜିୟାନଲିନ ଉପଜିଲ୍ଲା କାର୍ଯ୍ୟାଳୟ ଏକ ଅଧିକାରୀକ ବୟାନ ଜାରି କରିଛି।
ଏଥିରେ ୟୁଆନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା କୁହାଯାଇଛି, ତେବେ ତାଙ୍କ ପ୍ରାଣ ରକ୍ଷା କରାଯାଇ ପାରିନାହିଁ। ଏହି ଘୋଷଣାରେ କୁହାଯାଇଛି ଯେ ଫୁଡ ଡେଲିଭରି କମ୍ପାନୀ, ବୀମା କମ୍ପାନୀ ଓ ୟୁଆନଙ୍କ ପରିବାର ଏକ ବୁଝାମଣାରେ ଉପନୀତ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଆକ୍ରୋଶ ଦେଖାଦେଇଛି। ଲୋକେ କହିଛନ୍ତି ଆଉ ଜଣେ ଅର୍ଡର କିଙ୍ଗ ଟଳିପଡିଛନ୍ତି।