ନୂଆଦିଲ୍ଲୀ: ଦିଲ୍ଲୀରେ ବାୟ ପ୍ରଦୂଷଣ ମାତ୍ରା କମିବାର ନାଁ ଧରୁନାହିଁ । ଶନିବାର ସକାଳେ ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ଖରାପ ସ୍ତରରେ ରହିଛି । ଗତ ଏକ ସପ୍ତାହ ଧରି ଏହି ଧାରା ଜାରି ରହିଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୩୦୦ରୁ ୪୦୦ ମଧ୍ୟରେ ରହିଛି । ଯାହା ସୁରକ୍ଷିତ ବାୟୁ ଠାରୁ ୬ରୁ ୮ ଗୁଣା ଅଧିକ । ରାଜଧାନୀ ଦିଲ୍ଲୀର ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ କ୍ଷେତ୍ରରେ ଏକ୍ୟୁଆଇ ମିଟର ୪୦୦ ଉପରେ ରହୁଛି ।
ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାୟୁ ମାନ ସୁଧାରିବା ପାଇଁ ଗ୍ରେପ୍-୪ ଲାଗୁ କରିଛନ୍ତି । ଏହାରି ଭିତରେ ଚାମ୍ୱର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ)ର ଏକ ରିପୋର୍ଟ ସାମନାକୁ ଆସିଛି । ଏହା ଅନୁସାରେ ସରକାର ଏହି ଆକ୍ସନ ଯୋଗୁଁ ପ୍ରାୟ ୨୫୦୦ କୋଟି ଟଙ୍କା କ୍ଷତି ହୋଇଛି । ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି, 'ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ରାସ୍ତା କଡ଼ରେ ବ୍ୟବସାୟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହାସହ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି ।'
ବ୍ରିଜେଶ ଗୋୟଲ କହିଛନ୍ତି, 'ଦିଲ୍ଲୀରେ ବାୟୁର ମାନ ଖରାପ ହେବା ପୂର୍ବରୁ ପ୍ରତିଦିନ ୩ରୁ ୪ ଲକ୍ଷ ପର୍ଯ୍ୟଟକ ଦିଲ୍ଲୀର ବିଭିନ୍ନ ବଜାରକୁ ଆସୁଥିଲେ । କିନ୍ତୁ ବାୟୁ ଗୁଣବତ୍ତା ହ୍ରାସ ପାଇବା ପରେ ଏହି ସଂଖ୍ୟା ୧ ଲକ୍ଷକୁ ଖସି ଆସିଛି । ଯେଉଁଥି ପାଇଁ ପ୍ରତିଦିନ ଦିଲ୍ଲୀର ଖୁଚୁରା ବ୍ୟବସାୟୀଙ୍କୁ ୧୨ ମିଲିୟନ ଡଲାର କ୍ଷତି ସହିବାକୁ ପଡ଼ୁଛି ।
GRAP-4 କଟକଣା ଯୋଗୁଁ ନିର୍ମାଣ ଉଦ୍ୟୋଗ ମଧ୍ୟ ଅଧିକ ପ୍ରଭାବିତ ହୋଇଛି । ଯେଉଁଥି ପାଇଁ ଦିନ ମଜୁରିଆଙ୍କୁ ନିଜ କାମ ହରାଇଛନ୍ତି । ମଙ୍ଗଳବାର ସୁପ୍ରିମକୋର୍ଟ GRAP-4 କଟକଣାକୁ ଡିସେମ୍ୱର ୨ ଯାଏ ବଢାଇବା ପାଇଁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣିରେ କଟକଣା କୋହଳ ହେବା ଆଶା କରାଯାଉଛି ।