ଅନ୍ୟ ଜାତିରେ ବିବାହ କରିବାକୁ ନେଇ ଗୁଳିମାରି ହତ୍ୟା କଲା ବାପା; ଆୟୁଷି ହତ୍ୟାକାଣ୍ଡ ମାମଲା ପର୍ଦ୍ଦାଫାଶ କଲା ପୋଲିସ

Published By : Prameya-News7 Bureau | November 21, 2022 IST

ନୂଆଦିଲ୍ଲୀ, ୨୧/୧୧: ଅନ୍ୟ ଜାତିରେ ବିବାହ କରିବା କାରଣରୁ ଝିଅକୁ ହତ୍ୟା କଲା ବାପା। ଖାଲି ସେତିକି ନୁହେଁ ହତ୍ୟା ପରେ ଝିଅର ମୃତଦେହକୁ ସୁଟକେଶରେ ଭର୍ତ୍ତି କରି ଫିଙ୍ଗିଦେଇଥିଲା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମଥୁରା। ଗତ ସପ୍ତାହରେ ଯମୁନା ଏକ୍ସପ୍ରେସଓ୍ବେ ନିକଟରେ ସୁଟକେଶରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ସୂଚନା ଅନୁଯାୟୀ, ଅନ୍ୟ ଜାତିରେ ବିବାହକୁ ନେଇ ତାଙ୍କ ନିଜ ବାପା ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ।

ଆୟୁ​‌ଷି ଯାଦବଙ୍କ ମୃତଦେହ ସୁଟ୍‌କେଶ୍‌ରେ ଭର୍ତ୍ତି ଅବସ୍ଥାରେ ମିଳିଥିଲା। ପୋଲିସ୍ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା। ଯାହାପରେ ୨୧ ବର୍ଷୀୟ ଆୟୁଷିଙ୍କ ପରିଚୟ ମିଳିଥିଲା। ସେ ଦିଲ୍ଳୀ ବରଦପୁର ବୋଲି ପରିଚୟ ମିଳିଥିଲା। ତେବେ ଘଟଣାର ତଦନ୍ତ ପରେ ଆୟୁଷିଙ୍କ ବାପା ନିତିଶ ଯାଦବଙ୍କୁ ପୋଲିସ ଗିରଫ କରିଛି, ଆୟୁଷିଙ୍କ ମା’ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସ ଅନୁଯାୟୀ, ନିତିଶ ଆୟୁଷିଙ୍କ ଅନ୍ୟ ଜାତିରେ ବିବାହ କରିବା ଏବଂ ଅଧିକ ରାତି ଯାଏଁ ଘରୁ ବାହାରେ ରହିବାକୁ ନେଇ ଅସନ୍ତୋଷ ଥିଲେ। ଫଳରେ ଏହି କଥାକୁ ନେଇ ବଚସା ହୋଇଥିଲା ଯାହାପରେ ରାଗରେ ସେ ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ। ଗୁଳିମାରିବା ପରେ ନିତିଶ ଆୟୁଷିଙ୍କ ମୃତଦେହକୁ ଏକ ସୁଟକେଶ୍‌ରେ ଭର୍ତ୍ତି କରିଥିଲେ ଏବଂ ମଥୁରାରେ ଫିଙ୍ଗିଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.