ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ନିର୍ଭୟା! ଜଣେ ୩୮ ବର୍ଷୀୟା ମହିଳାଙ୍କୁ ଅଖାରେ ହାତଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ। ଗଣଦୁଷ୍କର୍ମ ପରେ ପାପିମାନେ ତାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇ ଦେଇଥିବା ସୂଚନା ଦେଇଛି ପୋଲିସ। ଏଭଳି ଜଘନ୍ୟ କାଣ୍ଡ ପୁଣିଥରେ ନିର୍ଭୟା ଘଟଣାକୁ ମନେ ପକାଇ ଦେଇଛି ବୋଲି ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲ କହିଛନ୍ତି।
କମିଶନଙ୍କ ସୂଚନା ଅନୁସାରେ, ପୀଡ଼ିତା ମହିଳା ଜଣଙ୍କ ଉତ୍ତରପୂର୍ବ ଦିଲ୍ଲୀରେ ଥିବା ନନ୍ଦ ନଗ୍ରୀର ବାସିନ୍ଦା। ଅକ୍ଟୋବର ୧୬ରେ ସେ ଭାଇର ଜନ୍ମଦିନରେ ଯୋଗ ଦେଇ ଫେରୁଥିଲେ। ରାତିରେ ଗାଜିଆବାଦରେ ଛିଡ଼ା ହୋଇ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଆସି ଏକ କାର୍ରେ ମହିଳାଙ୍କୁ ଅପହରଣ କରିନେଇଥିଲେ। ଏହାପରେ ଆଉ ଜଣଙ୍କ ସହିତ ମିଶି ମୋଟ ୫ ଜଣ ମହିଳାଙ୍କୁ ଦୁଇଦିନ ଦୁଷ୍କର୍ମ କରିବା ସହ ଯନ୍ତ୍ରଣା ଦେଇଥିଲେ। ପରେ ମହିଳାଙ୍କ ହାତଗୋଡ଼ ବାନ୍ଧି ଏକ ଝୋଟ ଅଖାରେ ପୁରାଇ ଫିଙ୍ଗି ଦେଇଥିଲେ।
ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏବେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ମାମଲାରେ ଗାଜିଆବାଦ ଆରକ୍ଷି ଅଧିକ୍ଷକଙ୍କୁ ନୋଟିସ୍ କରାଯାଇ ଏତଲା ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆହୋଇଛି।
ଘଟଣା ବିଷୟରେ ସୂଚନା ଦେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ କହିଛନ୍ତି “ଏହା ଅତି ଜଘନ୍ୟ ଓ ଲୋମଟାଙ୍କୁରା ଘଟଣା। ଏହା ମୋତେ ନିର୍ଭୟା ମାମଲାକୁ ପୁଣିଥରେ ମନେ ପକାଇ ଦେଉଛି। ସମସ୍ତ ଦୋଷୀ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ମୁଁ ବୁଝିପାରୁନି ଯେ ଆଉ କେତେଦିନ ପର୍ଯ୍ୟନ୍ତ ମହିଳା ଓ ନାବାଳିକାମାନେ ଏଣିତି ଘୃଣ୍ୟର ଅପରାଧର ଶିକାର ହେଉଥିବେ”।
ପୋଲିସର ସୂଚନା ଅନୁସାରେ ମହିଳା ଜଣଙ୍କ ଦିଲ୍ଲୀର ଆଶ୍ରମ ରୋଡ୍ରେ ପଡ଼ିଥିବା ସୂଚନା ମିଳିଥିଲା। ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଦିଲ୍ଲୀ ଜିଟିବି ଡାକ୍ତରଖାନାକୁ ନେଇଥିଲେ। ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚାର କରୁଛି। ଏପରି ଅପରାଧିକ ଘଟଣା ପୂର୍ବଶତୃତା ଓ ଜମିବାଡ଼ି ବିବାଦରୁ ହୋଇଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।