ନୂଆଦିଲ୍ଲୀ: ମୌସୁମୀ ଆସିବା ଯେତେ ନିକଟତର ହେଉଛି, ତାତି ସେତେ ଅସହ୍ୟ ହେଉଛି। ସାରା ଭାରତ ବର୍ତ୍ତମାନ ରୌଦ୍ରତାପରେ ଛଟପଟ। ଲାଗୁଛି କେହି ଜଣେ ଯେମିତି କଡ଼େଇ ରଖି ଆମକୁ ସିଝାଉଛି। ଓ ଗଛ କାଟିବାର ରାଗ ସୁଝାଉଛି। ରାଜଧାନୀ ଦିଲ୍ଲୀରେ ଆଜି ପାରଦ ୫୨ ଡିଗ୍ରୀକୁ ବି ଟପିଛି। ଭାରତୀୟ ପାଣିପାଗ ବିଭାଗ କହିଛି- ଦିଲ୍ଲୀ ମୁଙ୍ଗେଶପୁର ପାଣିପାଗ ଷ୍ଟେସନ୍ରେ ତାପମାତ୍ରା ୫୨.୩ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
ତାତି ବଢିବା ସାଙ୍ଗକୁ ଦିଲ୍ଲୀରେ ବିଜୁଳି ଖର୍ଚ୍ଚ ବି ସର୍ବାଧିକ ସ୍ତରରେ ପହଞ୍ଚିଛି। ବୁଧବାର ଦିଲ୍ଲୀରେ ୮,୩୦୨ ମେଗାୱାଟ୍ ବିଜୁଳିର ଖର୍ଚ୍ଚ ହୋଇଛି। ତାତିର ଖବର ଶୁଣାଇବା ପରେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ଦେଇ ବର୍ଷାର କଥା ବି କହିଛି ପାଣିପାଗ ବିଭାଗ। ଦିଲ୍ଲୀର କେତେକ ସ୍ଥାନରେ କାଳବୈଶାକ୍ଷୀ ବର୍ଷା ହେବ। ପବନର ଘଣ୍ଟା ପ୍ରତି ବେଗ ୩୦-୪୦ କିମି ରହିବ। ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏନ୍ସିଆର୍ ସମେତ ହରିଆଣା, ଉତ୍ତର ପ୍ରଦେଶର କେତେକ ଅଞ୍ଚଳ କାଳବୈଶାକ୍ଷୀ ଜନିତ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।
ରାଜଧାନୀ ଦିଲ୍ଲୀରେ ପ୍ରଥମ କରି ୮,୩୦୦ ମେଗାୱାଟ୍ର ବିଜୁଳି ଖର୍ଚ୍ଚ ହୋଇଛି। ପୂର୍ବରୁ ଏତେମାତ୍ରାରେ ବିଜୁଳି କେବେ ବି ଖର୍ଚ୍ଚ ହୋଇ ନଥଲା। ଶକ୍ତିଯୋଗାଣକାରୀ କମ୍ପାନୀଗୁଡିକ ଚଳିତ ସିଜନରେ ୮,୨୦୦ ମେଗାୱାଟ୍ର ବିଜୁଳି ଖର୍ଚ୍ଚ ହେବ ବୋଲି ଆକଳନ କରିଥିଲେ। ହେଲେ ଷ୍ଟେଟ୍ ଲୋଡ୍ ଡିସ୍ପେଚ୍ ସେଣ୍ଟର ଦିଲ୍ଲୀ କହିଛି ଯେ ବୁଧବାର ୮,୩୦୨ ମେଗାୱାଟ୍ ବିଜୁଳି ଖର୍ଚ୍ଚ ହେଉଛି।
ତାତି ବଢ଼ିବା ସାଙ୍ଗକୁ ବିଜୁଳି ଖର୍ଚ୍ଚ ବଢ଼ୁଛି। ଅନ୍ୟପଟେ ପାଣିର ଅଭାବ ଯୋଗୁ ଦିଲ୍ଲୀ ସରକାର ଶକ୍ତ ହୋଇଛନ୍ତି। ଯିଏ ପାଣି ନଷ୍ଟ କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିଲ୍ଲୀ ଜଳ ବୋର୍ଡର ଘୋଷଣା କରିଛି ଯେ ଯଦି କେହି ପାଣି ନଷ୍ଟ କରୁଥିବାର ଧରାପଡ଼ନ୍ତି ତେବେ ୨ ହଜାର ଟଙ୍କା ଫାଇନ୍ କରାଯିବ।