ରାଜଧାନୀ ଦିଲ୍ଲୀରେ ଅନେକ ସ୍ଥାନରେ ବାୟୁ ପ୍ରଦୂଷଣ ବିପଦସ୍ତରରେ ; ଧୂଳି ଏବଂ ଧୂଆଁ ଯୋଗୁଁ ଘରୁ ବାହାରିବା ମୁସ୍କିଲ

Published By : Prameya-News7 Bureau | November 05, 2018 IST

ନୂଆଦିଲ୍ଲୀ ୫|୧୧:   ଦିଲ୍ଲୀର ପବନ ଦିନକୁ ଦିନ ସାଂଘାତିକ ସ୍ଥିତି ଛୁଉଁଛି । ଆଜି ରାଜଧାନୀର ଅନେକ ସ୍ଥାନରେ ବାୟୁ ପ୍ରଦୂଷଣ ବିପଦସ୍ତରରେ ପହଞ୍ଚି ଯାଇଛି । ସ୍ଥିତି ଏମିତି ଯେ, ପ୍ରଶ୍ବାସରେ ଦିଲ୍ଲୀ ପବନକୁ ନେବା ଅର୍ଥ ଦିନକୁ ୨୦ଟି ସିଗାରେଟ୍ ପିଇବା ସହ ସମାନ । ଶ୍ବାସଜନିତ ସମସ୍ୟାରେ ପୀଡିତ ରୋଗୀଙ୍କ ସଂଖ୍ୟା ଡାକ୍ତରଖାନୀରେ ଦିନକୁ ଦିନ ବଢିବାରେ ଲାଗିଛି । ବାହାରେ ଏତେ ମାତ୍ରାରେ ଧୂଳି ଏବଂ ଧୂଆଁ ଯେ, ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି । ଅନେକ ଲୋକ ଅଫିସରୁ ଛୁଟି ନେଇ ଅନ୍ୟଆଡେ ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । କେବଳ ପିଏମ୍ କଣିକା ନୁହେଁ, ପବନରେ ବିଷାକ୍ତ ବେନଜିନ୍ ଏବଂ ନାଇଟ୍ରୋଜେନ୍ ଡାଏଅକ୍ସାଇଡ୍ ଭଳି ଗ୍ୟାସର ମାତ୍ରା ମଧ୍ୟ ବଢୁଛି । ସକାଳେ କୁହୁଡି ପଡୁଥିବାରୁ ସ୍ଥିତି ଆହୁରି ଗମ୍ଭୀର ହୋଇଛି । ତେଣୁ ମର୍ଣି ୱାକ୍  ନକରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି । ଆଗକୁ ଦିପାବଳୀ । ସ୍ଥିତି ଆହୁରି ବିଗିଡିବା ଆଶଙ୍କା ରହିଛି । କେବଳ ଦିଲ୍ଲୀ ନୁହେଁ ଅନେକ ସ୍ଥାନରେ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେଣୁ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ପ୍ରଦୂଷଣ କମାଇବାରେ ସହଯୋଗ କରିବା ସହ ନିଜକୁ କିଭଳି ପ୍ରଦୂଷଣ ଜନିତ ସମସ୍ୟାରୁ ଦୂରେଇ ରଖିହେବ ତାହା ସବୁଠୁ ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.