ଦିଲ୍ଲୀରେ CAA ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ : ୫ ମୃତ, ୫୬ ଜଣ ଆହତ
25/02/2020 at 7:46 AM

ନୂଆଦିଲ୍ଲୀ ୨୫।୨: ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ । ଏଥିରେ ଦିଲ୍ଲୀ ପୋଲିସର ଜଣେ ହେଡ୍ କନଷ୍ଟେବଲଙ୍କ ସମେତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ହିଂସା ଘଟଣାରେ ପୋଲିସ କର୍ମୀଙ୍କ ସମେତ ୫୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ ହେଡ୍ କନଷ୍ଟେବଲ୍ ହେଉଛନ୍ତି ରତନ ଲାଲ୍ । ଗୋକୁଲପୁରୀରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନିୟନ୍ତ୍ରଣ କରିବାକୁ ସେ ଚେଷ୍ଟା କରୁଥିବା ବେଳେ ଗୁରୁତର ଆହତ ହୋଇଥିଲେ । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି ।

ଉତ୍ତରପୂର୍ବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହି ହିଂସାକାଣ୍ଡ ଘଟିଛି । ସପକ୍ଷବାଦୀ ଓ ବିପକ୍ଷବାଦୀ ଗୋଷ୍ଠୀ ପରସ୍ପରକୁ ଢେଲା ପଥର ମାଡ଼ କରିବା ସହିତ ଗାଡ଼ି ଓ ଦୋକାନ ବଜାର ପୋଡ଼ାଜଳା ହୋଇଛି । ଏଥିଯୋଗୁଁ ସେହି ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ପଡ଼ିଛି । ସେହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଲୋକେ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି ।

ଆମେରିକା ରାଷ୍ଟ୍ରପତି ଦିଲ୍ଲୀରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଏହି ହିଂସାକାଣ୍ଡ ଘଟିଛି । ଗୃହ ସଚିବ ଅଜୟ ଭାଲ୍ଲା ପରିସ୍ଥିତିର ସମୀକ୍ଷା କରି ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି । ଏପଟେ ଉତ୍ତ୍ୟକ୍ତ ଜନତାଙ୍କୁ ହିଂସା ଛାଡି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ରାହୁଲ ଗାନ୍ଧି ଲୋକଙ୍କୁ ସଂଯମତା ରଖିବାକୁ ଅନୁରୋଧ କରିଛନ୍ତି ।