ଶାହିନବାଗ୍ ମାମଲା : ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିପାରିବେ ନାହିଁ - ସୁପ୍ରିମକୋର୍ଟ

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୨: ଦିଲ୍ଲୀ ଶାହିନବାଗ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ମତ । ଶାହିନବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନକାରୀମାନେ ସର୍ବସାଧାରଣ ରାସ୍ତାକୁ ଅବରୋଧ କରିପାରିବେ ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିବେନାହିଁ । ତେବେ ଶାହିନବାଗରୁ ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ଆଗତ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ସରକାର ଏବଂ ପୋଲିସକୁ ନୋଟିସ୍ ଜାରି କରିଛନ୍ତି । ୭ଦିନ ମଧ୍ୟରେ ଜବାବ ରଖିବାକୁ କୋର୍ଟ କହିଛନ୍ତି ।

ବିଚାରପତି ଏସ କେ କାଉଲ ଏବଂ ବିଚାରପତି କେ ଏମ ଯୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଏକ ଆଇନ ରହିଛି ଏବଂ ଏହା ବିରୋଧରେ ଜନସାଧାରଣଙ୍କ ଅଭିଯୋଗ ରହିଛି । ମାମଲା କୋର୍ଟରେ ବିଚାରଧିନ ରହିଛି । ତା ସତ୍ତ୍ବେ କିଛି ଲୋକଆନ୍ଦୋଳନ କରୁଛନ୍ତି । ସେମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି । କିନ୍ତୁ କେହି ସାଧାରଣ ରାସ୍ତାକୁ ଆବରୋଧ କରିପାରିବେ ନାହିଁ । ଏଭଳି ଅଞ୍ଚଳରେ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ମଧ୍ୟ ଆନ୍ଦୋଳନ କରାଯାଇପାରିବନାହିଁ ବୋଲି ଦର୍ଶାଇ କୋର୍ଟ କହିଛନ୍ତି ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଲାଗି ଏକ ସ୍ଥାନ ଚିହ୍ନଟ ହେବା ଉଚିତ୍ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଶାହିନବାଗରେ ଆନ୍ଦୋଳନ ଦୀର୍ଘଦିନ ଚାଲିପାରେ । କିନ୍ତୁ ତାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିବ ନାହିଁ । ତେବେ ଅନ୍ୟ ପକ୍ଷଙ୍କ ଯୁକ୍ତି ବା ମତାମତ ନଶୁଣିବା ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ବା ଆଦେଶ ଦେଇପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଆସନ୍ତା ୧୭ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.