ଦିଲ୍ଲୀରେ ବର୍ଷା ପରେ ପୁଣି ବଢ଼ିଲା ଥଣ୍ଡା, ଶୀତ ଲହର ଆଶଙ୍କା
12/01/2023 at 7:57 PM

ନୂଆଦିଲ୍ଲୀ ୧୨।୧: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତ ଲହରରୁ ଲୋକଙ୍କୁ ଆସ୍ୱସ୍ତି ମିଳିଛି। ତେବେ ବୁଧବାର ରାତିରେ କେତେକ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ ଥଣ୍ଡା ପୁଣି ବଢିଛି। ସ୍ଥାନୀୟ ପାଣିପାଗ ବିଭାଗ ଗୁରୁବାର ଦିଲ୍ଲୀରେ ବର୍ଷା ଆଶଙ୍କା କରିଥିଲେ। ତେବେ ଦିନବେଳା ବର୍ଷା ହୋଇ ନଥିବା ବେଳେ ସନ୍ଧ୍ୟା ପରେ କିଛି ଅଞ୍ଚଳରେ ବର୍ଷା ହୋଇଥିବାର ଜଣାପଡିଛି। ଏଥିରେ ପୁରୁଣା ଦିଲ୍ଲୀ, ଚାନ୍ଦିନି ଚୌକ, ଜନପଥ ଓ ଆଇଟିଓ ରେ ବର୍ଷା ହୋଇଥିବାର ଜଣାପଡିଛି।
ପାଣିପାଗ ବିଭାଗଙ୍କ ଅନୁସାରେ ଦିଲ୍ଲୀରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୯ଡିଗ୍ରି ସେଲସିୟସ୍ ରହିଛି। ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା। ବର୍ଷା ଯୋଗୁ ଗୁରୁବାର ଶୀତ ଲହରରୁ ଆଶ୍ୱସ୍ତି ମିଳିଥିଲେ ବି ବର୍ଷା ଯୋଗୁ ପୁଣି ଥଣ୍ଡା ବଢିଛି। ଏଣୁ ଜାତୀୟ ରାଜଧାନୀକୁ ପୁଣି ଶୀତ ଲହର ଫେରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ପୁଷ୍ଟି କରିଛନ୍ତି। ଦିଲ୍ଲୀରେ ଜାନୁୟାରୀ ୧୫ ତାରିଖ ପରେ କେତେକ ଅଞ୍ଚଳରେ ଶୀତ ଲହର ଫେରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି।

ପାଣିପାଗ ବିଭାଗଙ୍କ ଅନୁସାରେ ଦିଲ୍ଲୀରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ରହିପାରେ। ତେବେ ଏହି ସମୟରେ ଅଧିକତମ ତାପମାତ୍ରା ୨୦ ଡିଗ୍ରି ସେଲସିୟସକୁ ପହଞ୍ଚିବ। ଏହି ସମୟରେ ଜାତୀୟ ରାଜଧାନୀରେ ଘନ କୁହୁଡ଼ିର ମଧ୍ୟ ଆଶଙ୍କା କରାଯାଉଛି। ଜାତୀୟ ରାଜଧାନୀରେ ଜାନୁୟାରୀ ୧୪ ବେଳକୁ କୁହୁଡ଼ି ହୋଇପାରେ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ସମତଳ ଅଞ୍ଚଳରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଶୀତ ଲହର ରହିନପାରେ। ତେବେ ବର୍ଷା ପରେ କୁହୁଡ଼ି ସହିତ ଶୀତ ଲହର ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।
ୱେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସର ଆଂଶିକ ପ୍ରଭାବ ଯୋଗୁ ବୁଧବାର ରାତିରୁ ତାପମାତ୍ରାରେ ହାଲୁକା ବୃଦ୍ଧି ହୋଇଥିଲା। ତେବେ ପାହାଡରୁ ଆସୁଥିବା ଶୀତଳ ପବନ ଯୋଗୁ ଲୋକଙ୍କୁ ଥଣ୍ଡାରୁ ଆଶ୍ୱସ୍ତି ମିଳି ନାହିଁ। ଜାନୁୟାରୀ ୧୩ ପରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଆହୁରି ଦୁର୍ବଳ ହୋଇଯିବ। ଏଣୁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଥଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଯୋଗୁ ହରିୟାଣା, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ତାପମାତ୍ରାରେ ବୃଦ୍ଧି ହୋଇଛି।