ଦୀପାବଳି ପରେ ଦିଲ୍ଲୀର ସ୍ଥିତି ଆହୁରି ଭୟଙ୍କର : ବାୟୁ ପ୍ରଦୂଷଣ ସୀମା ଟପିଲା
8/11/2018 at 11:40 AM

ନୂଆଦିଲ୍ଲୀ ୮/୧୧: ଗତକାଲି ଦୀପାବଳିର ବାଣଫୁଟା ପରେ ଆଜି ସକାଳେ ଦିଲ୍ଲୀର ପ୍ରଦୂଷଣ ବେଶ୍ ବଢ଼ିଯାଇଛି। ରାଜଧାନୀର ଅଧିକାଂଶ ଅଞ୍ଚଳ ଧୂଆଁମିଶା କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇପଡ଼ିଛି। ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଅନେକ ସ୍ଥାନରେ ସମୟସୀମା ଉଲଙ୍ଘନ କରି ଲୋକ ବାଣ ଫୁଟାଇଛନ୍ତି। ଏ ସବୁ ସ୍ଥାନରେ ପୋଲିସ ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି। ତେବେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଏପରି ବେଖାତିର କରିବା ନେଇ ପ୍ରଶ୍ନ ଉଠିଛି। ଏପଟେ ବାୟୁ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହୋଇପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁଯାୟୀ କାଲି ରାତିରେ ୮ଟା ପରେ ଏୟାର କ୍ବାଲିଟି ଇନଡେକ୍ସ ପଡ଼ିଯାଇଥିଲା। କିଛି ସ୍ଥାନରେ ଅତି ବିପଦଜନକ ଭାବରେ ୯୦୦ଅଙ୍କ ଛୁଇଁଛି। ରାତି ୮ଟାପରେ ପିଏମ୍ ୨.୫ ଏବଂ ପିଏମ ୧୦କଣିକା ମାତ୍ରା ଖୁବ୍ ବଢ଼ିଯାଇଥିଲା। ଆଜି ଦ୍ବିପ୍ରହର ପରେ ହିଁ ସ୍ଥିତି ସୁଧୁରିପାରେ। ପ୍ରଦୂଷଣକୁ ନଜରରେ ରଖି ନଭେମ୍ବର ୧୦ଯାଏଁ ବିଭିନ୍ନ କଟକଣା ଲଗାଯାଇଥିଲା। ତେବେ ସ୍ଥିତି ନ ସୁଧୁରିଲେ କଟକଣା ଆହୁରି କଠୋର ହୋଇପାରେ। ଘରୋଇ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିପାରେ।