ତେଜିନ୍ଦର ପାଲ ବଗାଙ୍କ ଗିରଫଦାରୀ ଉପରେ ହାଇଭୋଲଟେଜ୍ ଡ୍ରାମା, ପଞ୍ଜାବ ପୋଲିସ ଠାରୁ ଉଦ୍ଧାର କରି ରାଜଧାନୀ ଆଣୁଛି ଦିଲ୍ଲୀ ପୋଲିସ

Published By : Prameya-News7 Bureau | May 06, 2022 IST

ନୂଆଦିଲ୍ଲୀ ୬।୫: ବିଜେପି ନେତା ତେଜିନ୍ଦର ପାଲ ବଗାଙ୍କ ଗିରଫକୁ ନେଇ ଶୁକ୍ରବାର ଦିନ ତମାମ ଦିଲ୍ଲୀରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ଏବେ ଦିଲ୍ଲୀ ପୋଲିସ ହରିୟାଣାର କୁରୁକ୍ଷେତ୍ରରେ ପହଞ୍ଚି ପଞ୍ଜାବ ପୋଲିସ ଠାରୁ ବଗାଙ୍କୁ ଛଡାଇ ପୁଣି ଥରେ ରାଜଧାନୀକୁ ଫେରାଇ ଆଣୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଟିପ୍ପଣୀ ଅଭିଯୋଗରେ ଶୁକ୍ରବାର ସକାଳ ୯ଟାରେ ଦିଲ୍ଲୀ ସ୍ଥିତ ବାସଭବନରୁ ତେଜିନ୍ଦର ପାଲ ବଗାଙ୍କୁ ଗରିଫ କରିଥିଲା ପଞ୍ଜାବ ପୋଲିସ । ଏହାପରେ ତେଜିନ୍ଦର ପାଲ ବଗାଙ୍କ ପରିବାର ପଞ୍ଜାବ ପୋଲିସ ବିରୁଦ୍ଧରେ ପୁଅକୁ ଅପହରଣ କରିବା ଏବଂ ମାରପିଟ୍ କରିବାର ଅଭିଯୋଗ କରିଥିଲେ। ଏହାପରେ ଦିଲ୍ଲୀ ପୋଲିସ ହରିୟାଣା ପ୍ରଶାସନକୁ ନିବେଦନ କରି ପଞ୍ଜାବ ପୋଲିସର ଗାଡିକୁ ଅଟକାଇବାକୁ କହିଥିଲା।

ହରିୟାଣ ପୋଲିସ ତତ୍କାଳ ଆକ୍ସନକୁ ଆସି ତେଜିନ୍ଦର ପାଲ ବଗାଙ୍କୁ ନେଇଯାଉଥିବା ପଞ୍ଜାବ ପୋଲିସ ଗାଡିକୁ ଅଟକାଇଥିଲା। ଏହାପରେ ଦିଲ୍ଲୀ ପୋଲିସ ହରିୟାଣାର କୁରୁକ୍ଷେତ୍ରରେ ପହଞ୍ଚି ପଞ୍ଜାବ ପୋଲିସ ଠାରୁ ବଗାଙ୍କୁ ଉଦ୍ଧାର କରି ଦିଲ୍ଲୀ ଫେରୁଛି। ତେବେ ଏହା ପୂର୍ବରୁ ହାଇ ଡ୍ରାମା ହୋଇଥିଲା। ଗୋଟିଏ ପଟେ ହରିୟାଣା ପୋଲିସ ପଞ୍ଜାବର ଟିମକୁ ଅଟକାଇ ରଖିଥିଲା। ଅନ୍ୟପଟେ ସାହିବଜାଦା ଅଜିତ ସିଂ ନଗର ଏସଏସପି କୁରୁକ୍ଷେତ୍ର ଏସଏସପିଙ୍କୁ ଚିଠି ଲେଖି ତୁରନ୍ତ ପଞ୍ଜାବ ପୋଲିସକୁ ଛାଡିବାକୁ ଦାବି କରିଥିଲେ।

ଏହା ପୂର୍ବରୁ ବିଜେପି ପଞ୍ଜାବ ସରକାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଶିଖ ଲୋକଙ୍କ ଅପମାନ କରିଥିବା ଅଭିଯୋଗ କରିଥିଲା। ବିଜେପି କହିଥିଲା, ପଞ୍ଜାବରେ ଜଣେ ଶିଖ ମୁଖ୍ୟମନ୍ତ୍ରୀ, ଏହାସତ୍ତ୍ୱେ ତେଜିନ୍ଦର ପାଲ ବଗାଙ୍କୁ ବିନା ପଗଡ଼ିରେ ପୋଲିସ ତାଙ୍କୁ ଘରୁ ଉଠାଇ ନେଇଛି। ଆପ ସରକାରକୁ ଟାର୍ଗେଟ କରି ତେଜିନ୍ଦର ବଗାଙ୍କ ଗିରଫଦାରୀକୁ ସମ୍ପୂର୍ଣ୍ଣ ବେଆଇନ କହିବ ସହ କେଜ୍ରିୱାଲ ପ୍ରତିଶୋଧର ରାଜନୀତି କରୁଥିବା ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.