ହାଇଆଲର୍ଟରେ ଦେଶର ରାଜଧାନୀ, ବୋମାରେ ଉଡ଼ାଇବାକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ୍‌

Published By : Prameya-News7 Bureau | March 23, 2022 IST

ନୂଆଦିଲ୍ଲୀ ୨୩।୦୩ : ଦେଶର ରାଜଧାନୀକୁ ପୁଣି ବୋମାରେ ଉଡାଇବାକୁ ଧମକ । ଆତଙ୍କୀ ସଂଗଠନ ତେହେରିକ-ଇ-ତାଲିବାନ ପକ୍ଷରୁ ଏକ ମେଲ୍‌ ଜରିଆରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଉଡାଇବାକୁ ଧମକ ଦେଇଛି । ଯାହାପରେ ଆକ୍ସନକୁ ଆସିଛନ୍ତି ସୁରକ୍ଷା ଏଜେନ୍ସି । ଦିଲ୍ଲୀ ପୋଲିସକୁ ହାଇଆଲର୍ଟ ରଖାଯାଇଛି ।

ଖବର ଅନୁଯାୟୀ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ଏକ ଅଜ୍ଞାତ ମେଲ୍‌ ଆସିଥିଲା । ଏଥିରେ ଦିଲ୍ଲୀରେ ବୋମା ବିସ୍ପୋରଣ ନେଇ ଉଲ୍ଲେଖ ରହିଥିଲା । ଯାହାକୁ ନେଇ ତୁରନ୍ତ ଆକ୍ସନକୁ ଆସିଯାଇଥିଲା ଦିଲ୍ଲୀ ପୋଲିସ । ତୁରନ୍ତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏପିରିକି ଦିଲ୍ଲୀର ସରୋଜିନୀ ମାର୍କେଟକୁ ତନତନ ଯାଞ୍ଚ କରିବା ସହ ଅଧିକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୁରକ୍ଷାଦୃଷ୍ଟିରୁ ଗୁରୁବାର ଦିନ ସରୋଜିନୀ ମାର୍କେଟକୁ ବନ୍ଦ ରଖାଯାଇଛି ।

ସେହିପରି ଦିଲ୍ଲୀ ସୀମାବର୍ତ୍ତୀ ରାଜ୍ୟଗୁଡିକୁ ମଧ୍ୟ ସତର୍କ କରାଯାଇଛି । ଯେପରି ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ ଆଦି ରାଜ୍ୟକୁ ସଜାଗ ରହିବାକୁ ସୂଚନା ଦିଆଯାଇଛି । ସେପଟେ ଏହି ଅଜ୍ଞାତ ମେଲ୍‌ କିଏ କରିଛି । ସେନେଇ ଛାନ୍‌ଭିନ୍‌ କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ । ମେଲ୍‌ କରିଥିବା ବ୍ୟକ୍ତି ଆତଙ୍କୀ ସଂଗଠନ ସହିତ ଜଡ଼ିତ ନା ଏହି ଧମକପୂର୍ଣ୍ଣ ମେଲ୍‌ ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.