ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍, ଜାଣନ୍ତୁ କହିଛି କ’ଣ?
17/03/2023 at 6:12 PM

ନୂଆଦିଲ୍ଲୀ ୧୭।୩: ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛି। ଏହି ନୋଟିସ୍ରେ ପୋଲିସ ସେହି ଯୌନ ପୀଡ଼ିତାମାନଙ୍କ ସମ୍ପର୍କରେ ବିବରଣୀ ମାଗିଛି ଯେଉଁମାନଙ୍କ ସମ୍ପର୍କରେ ରାହୁଲ ତାଙ୍କ ଭାରତ ଯୋଡୋ ଯାତ୍ରା କାଳରେ ଦେଇଥିବା ଭାଷଣରେ କହିଥିଲେ। ତେବେ ରାହୁଲଙ୍କୁ ନୋଟିସ୍ ଦେବା ଲାଗି ଦିଲ୍ଲୀ ପୋଲିସକୁ ଲଗାତାର ଦୁଇ ଦିନ ସାଢେ ୪ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ପ୍ରଥମ ଦିନ ୩ ଘଣ୍ଟା ଅପେକ୍ଷା ପରେ ବି ପୋଲିସ ରାହୁଲଙ୍କ ଭେଟ ନ ପାଇ ଫେରି ଆସିଥିବା ବେଳେ ଦ୍ୱିତୀୟ ଦିନ ଦେଢ ଘଣ୍ଟା ଅପେକ୍ଷା କରି ତାଙ୍କ ହାତରେ ନୋଟିସ୍ ଦେଇଛି।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ କନ୍ୟା କୁମାରୀରୁ ଆରମ୍ଭ ହୋଇଥିଲା ଯାହା ଜାନୁୟାରୀ ୩୦ ତାରିଖରେ କାଶ୍ମୀରରେ ସମାପ୍ତ ହୋଇଛି। ତେବେ କାଶ୍ମୀରରେ ରାହୁଲ ତାଙ୍କ ଉଦବୋଧନରେ ଭାରତ ଯୋଡୋ ଯାତ୍ରା କାଳରେ ଅର୍ଜନ କରିଥିବା ଅଭିଜ୍ଞତା ବଖାଣିଥିଲେ। ଏଥିରେ ଦେଶରେ ଏବେବି ମହିଳାଙ୍କ ପ୍ରତି ଯୌନ ଉତ୍ପିଡନ ହେଉଥିବାର ସେ ଶୁଣି ଥିବା କହିଥିଲେ। ରାହୁଲ କହିଥିଲେ ଯେ ଏକ ବିଶେଷ ମାମଲାରେ ଜନୈକ ଯୁବତୀଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା, ଯାହାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏଥିରେ ଆମକୁ ପୋଲିସ୍ ଡକାଇବାକୁ ପଡିବ କି ବୋଲି ରାହୁଲ ଯୁବତୀଙ୍କୁ ପଚାରିଥିଲେ। ତେବେ ପୋଲିସ ଡାକିଲେ ଲଜ୍ଜା ଲାଗିବ ବୋଲି ଯୁବତୀ କହିଥିଲେ ବୋଲି ରାହୁଲ ଭାଷଣରେ କହିଥିଲେ।

ଭାରତ ଯୋଡୋ ଯାତ୍ରା କାଳରେ ରାହୁଲଙ୍କ ଭାଷଣ ସୋସିଆଲମିଡିଆରେ ଭାଇରାଲ ହୋଇଥିଲା। ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ ପୋଷ୍ଟମାନଙ୍କୁ ସଂଜ୍ଞାନକୁ ନେଇ ମାମାଲାରେ ପୀଡ଼ିତମାନଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଲାଗି ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଦେଇଛି। ଏଥିରେ ଦିଲ୍ଲୀ ପୋଲିସ ରାହୁଲଙ୍କୁ ପ୍ରଶ୍ନର ଏକ ଲମ୍ବା ଚୌଡା ସୂଚୀ ଧରାଇଥିବା ଜଣାପଡିଛି। ରାହୁଲଙ୍କ ଜବାବ ଉପରେ ଏବେ ପୋଲିସର କାର୍ଯ୍ୟାନୁଷ୍ଠାନ ନିର୍ଭର କରୁଛି।