ନୂଆଦିଲ୍ଲୀ୧୪।୯: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ମୁକୁଳିବା ବେଳେ ଆମଆଦମୀ ପାର୍ଟି (ଆପ) କାର୍ଯ୍ୟକର୍ତ୍ତା ଓ ସମର୍ଥକ ଜାତୀୟ ରାଜଧାନୀରେ ଆତଶବାଜୀ କରିଥିଲେ। ଏହି ଘଟଣାରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି। ମାମଲାରେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜରିୱାଲ ତିହାର ଜେଲରୁ ମୁକୁଳିବା ବେଳେ ଏହି ଆତଶବାଜୀ ହୋଇଥିଲା।
ଦିଲ୍ଲୀ ବିଜେପି ଆତଶବାଜୀକୁ ନେଇ ମନ୍ତ୍ରୀ ଗୋପାଲ ରାୟଙ୍କୁ ପ୍ରଶ୍ନ ବି କରିଛି, ଏଥିରେ ଦୀପାବଳି ଦିନ ଦିଲ୍ଲୀରେ ଆତଶବାଜୀ ଉପରୁ ନିଷିଦ୍ଧାଦେଶ ହଟିବ କି ବୋଲି ପଚରାଯାଇଛି। ୪ ଦିନ ପୂର୍ବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ରାଜଧାନୀରେ ଆତଶବାଜୀ ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୧୩ ସେପ୍ଟେମ୍ବର ଶୁକ୍ରବାର ଜାମିନ ମିଳିଥିଲା।
ଜାମିନରେ କେଜରିୱାଲ ଜେଲରୁ ବାହାରକୁ ଆସିବା ପରେ ଆପରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ ଆପ କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଆତଶବାଜୀ କରିଥିବା ବେଳେ ବିଜେପି ଏବେ ଏହାକୁ ପ୍ରସଙ୍ଗ କରିଛି। କେଜରିୱାଲଙ୍କ ଶୋଭାଯାତ୍ରାରେ ଆତଶବାଜୀ ପାଇଁ ଦିଲ୍ଲୀ ବିଜେପି ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ୩ ଦିନ ପୂର୍ବରୁ ରାଜ୍ୟ ସରକାର ଜାତୀୟ ରାଜଧାନୀରେ ବାଣ ଫୁଟା ଉପରେ କଡ଼ା କଟକଣା ଲଗାଇଥିଲେ ବୋଲି କହିଛନ୍ତି।
ଏ ନେଇ ସେ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ଦୀପାବଳିରେ ବାଣକୁ ପ୍ରଦୂଷଣର କାରଣ କହି ନିଷିଦ୍ଧ କରାଯାଉଥିବା ବେଳେ ଗୋପାଳ ରାୟ କୁହନ୍ତୁ ଅରବିନ୍ଦ କେଜରିୱାଲଙ୍କ ଚେଲାମାନେ ବାଣ କେଉଁଠୁ ଆଣି ଆତଶବାଜୀ କଲେ। କଣ ଆମଆଦମୀ ପାର୍ଟିର ଆତଶବାଜୀରେ ଦିଲ୍ଲୀର ବାୟୁ ପ୍ରଦୂଷଣ ହେଉ ନାହିଁ?