ଦିଲ୍ଲୀରେ ଗଡ଼ିବନି ଡିଜେଲ ଗାଡ଼ି, ପ୍ରଦୂଷଣ ହ୍ରାସ କରିବାକୁ ପରିବହନ ବିଭାଗର ବଡ଼ ନିଷ୍ପତ୍ତି, ବିଏସ-୬ ବ୍ୟତୀତ ଅନ୍ୟ ଗାଡ଼ିରେ କଟିବ ଚାଲାଣ..

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଲୀ ୦୬।୧୧: ରାଜଧାନୀରେ ପ୍ରଦୂଷଣ ହ୍ରାସ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀ ପରିବହନ ବିଭାଗ। ଦିଲ୍ଲୀ ସୀମାରେ ବିଏସ୍-୬ ଡିଜେଲ ଗାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ଡିଜେଲ ଗାଡ଼ି ଚାଲିବା ଉପରେ ପ୍ରତିବନ୍ଧକ ଲାଗିଛି । ଭାରତ ଷ୍ଟେଜ୍ -୬ ଠାରୁ କମ୍ ମାନର ଗାଡ଼ି ଚାଲିଲେ ୨୦ ହଜାର ଟଙ୍କା ଜୋରିମନା ଲାଗିବ।

ଖବର ଅନୁଯାୟୀ, ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଫସଲ ଅମଳ ପରେ କ୍ଷେତରେ ନଡ଼ା ଜାଳି ଦେଉଛନ୍ତି ଚାଷୀ। ଯାହାଫଳରେ ରାଜଧାନୀ ବାୟୁମଣ୍ଡଳରେ କ୍ରମାଗତ ଭାବେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଫଳରେ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଦିଲ୍ଲୀବାସୀ । ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ପରିବହନ ବିଭାଗ ସମସ୍ତ ଗାଡ଼ି ମାଲିକଙ୍କୁ ମେସେଜ୍ ପଠାଇ ସଚେତନ କରାଇଦେଇଛି । ପରିବହନ ବିଭାଗରୁ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ବିଏସ-୬ ଠାରୁ କମ୍ ମାନର ଡିଜେଲ ଗାଡ଼ି ବ୍ୟବହାର କରୁଥିବା ମାଲିକମାନଙ୍କୁ ମେସେଜ୍ ପଠାଯାଇଛି ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୁଷଣ ବିପଦ ସଙ୍କେତ ପାର୍ କରିଛି। ବିଷ ବଳୟରୁ ମୁକ୍ତି ପାଇବା ପାଇଁ ଦିଲ୍ଲୀ ସୀମାରେ ଚାଲୁଥିବା ସମସ୍ତ ବିଏସ୍-୬ ଠାରୁ କମ୍ ମାନର ଡିଜେଲ ଗାଡ଼ିକୁ ବ୍ୟାନ କରାଯାଇଛି। ଏହି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ୨୦ ହଜାର ଟଙ୍କା ଫାଇନ୍ ଲାଗିବ ବୋଲି ସୂଚିତ କରାଯାଇଛି ।

ବାୟୁ ପ୍ରଦୁଷଣ ହ୍ରାସ କରିବାକୁ ଦିଲ୍ଲୀ ସରକାର ଗ୍ରୁପ-୪ ଲାଗୁ କରିଛନ୍ତି। ଏଥିରେ ପ୍ରଦୁଷଣ ବଢାଉଥିବା କାରଖାନା ଠାରୁ ଆରମ୍ଭ କରି ଧୂଆଁ ନିର୍ଗତ ହେଉଥିବା ଜେନେରେଟର ଆଦିକୁ ବନ୍ଦ କରାଯାଇଛି । ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିଲେ ମଧ୍ୟ ଲୋକଙ୍କ ଜୀବନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ସରକାରଙ୍କ ଦ୍ବାରା ଚାଲୁଥିବା ଯାନବାହନକୁ ବ୍ୟବହାର କରିବାକୁ ଲୋକଙ୍କୁ ଅନୁରୋଧ କରିଛି ପରିବହନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.