ଏମସିଡି ନିର୍ବାଚନ; ଭୋଟ୍ ଦେଉଛନ୍ତି ଦିଲ୍ଲୀବାସୀ, ୧୩୪୯ଜଣ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ: ଭୋଟ୍ ଦେଉଛନ୍ତି ଦିଲ୍ଲୀ ମହାନଗର ନିଗମବାସୀ। ଦିଲ୍ଲୀରେ ଆରମ୍ଭ ହୋଇଛି ଏମସିଡି ନିର୍ବାଚନ। ୮ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ମୋଟ୍ ୧୩୪୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ପ୍ରାୟ ଦେଢ କୋଟି ଭୋଟର ନିଜର ମତାଧିକାରୀ ସାବ୍ୟସ୍ତ କରିବେ ।   

ରବିବାର ସକାଳୁ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଆରମ୍ଭ ହୋଇଛି । ୨୫୦ ଓ୍ବାର୍ଡରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜଧାନୀବାସୀ । ମୋଟ୍ ୧୩୪୯ଜଣ ପ୍ରାର୍ଥୀଙ୍କ ଭାଗ୍ଯ ପରୀକ୍ଷା ହେବ । ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ ଓ ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ୪୦ ହଜାର ପୋଲିସ କର୍ମଚାରୀ ଓ ଅନ୍ୟ ରାଜ୍ୟରୁ ୨୦ ହଜାର ହୋମଗାର୍ଡ  ନିୟୋଜିତ ହୋଇଛନ୍ତି ।

ନଗର ନିଗମ ନିର୍ବାଚନରେ ମୋଟ୍ ୧କୋଟି ୪୫ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିମଧ୍ୟରେ ୧୦୦ବର୍ଷରୁ ଅଧିକ ବୟସ୍କ ୨୨୯ଜଣ ଭୋଟର ରହିଛନ୍ତି । ସେହିପର ୮୦ବର୍ଷରୁ ୧୦୦ବର୍ଷ ମଧ୍ୟରେ ୨ ଲକ୍ଷ ୪ହଜାର ୩୦୧ ଜଣ ମତଦାତା ରହିଛନ୍ତି । ପ୍ରଥମ ଥର ପାଇଁ ଏମସିଡି ନିର୍ବାଚନରେ ୯୫ ହଜାର ୪୫୮ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୩୩୬୦ ପୋଲିଂ ଷ୍ଟେସନରୁ ୪୯୨ଟି ସମ୍ବେଦନଶୀଳ ବୁଥ ନିହ୍ନଟ କରାଯାଇଛି । ସେହିପରି ୬୮ଟି ମଡେଲ ବୁଥ୍ ଓ ମହିଳାଙ୍କ ପାଇଁ ୬୮ଟି ପିଙ୍କ୍ ବୁଥ୍ ହୋଇଛି । ଆସନ୍ତା ୭ତାରିଖରେ ଏମସିଡି ନିର୍ବାଚନରେ ଭୋଟ୍ ଗଣତି ହେବ । ଏଥିପାଇଁ ୪୨ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଇଛି ।

ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେଉଛି । ବିଜେପି ନିଜର ଗଡ଼ ବଞ୍ଚାଇକୁ ଜୋରଦାର ଉଦ୍ୟମ କରୁଛି । ୨୦୧୭ରେ ବିଜେପି ସମୁଦାୟ ୨୭୦ ଓ୍ବାର୍ଡରୁ ୧୮୧ ଓ୍ବାର୍ଡର ବିଜୟ ଲାଭ କରିଥିଲା। ଆପ୍ ୪୮ଟି ଓ କଂଗ୍ରେସକୁ ମାତ୍ର ୨୭ ଓ୍ବାର୍ଡର ବିଜୟ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.