ଦିଲ୍ଲୀ MCD ମେୟର ନିର୍ବାଚନ ଶୁକ୍ରବାର, ବ୍ୟବହାର ହେବ ୩ ରଙ୍ଗର ବାଲଟ ପେପର

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ ୫।୧: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ପରେ ଏବେ ମେୟର ନିର୍ବାଚନ ଲାଗି ଅବଗଣନା ଆରମ୍ଭ ହୋଇଗଲାଣି। ଶୁକ୍ରବାର ଅର୍ଥାତ ୬ ଜାନୁୟାରୀ ୨୦୨୩ରେ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ହେବ। ଏହା ସହ ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟି ମେମ୍ବର ନିର୍ବାଚନ ମଧ୍ୟ ହେବ। ଏଥିଲାଗି ବାଲଟ ପେପର କଲର କୋଡ ନିର୍ଦ୍ଧାରିତ ହୋଇ ସାରିଲାଣି। ମେୟର ନିର୍ବାଚନ ଲାଗି ପୂର୍ବାହ୍ନ ୧୧ଟାରୁ ଭୋଟିଂ ଆରମ୍ଭ ହେବ।

ମେୟର ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ( ଏଲଜି)ଙ୍କ ମଧ୍ୟରେ ଖିଟପିଟ୍ ମଧ୍ୟ ହୋଇଛି। ଏହି ବିବାଦ ଏଲଜିଙ୍କ ଦ୍ୱାରା ପୀଠାସୀନ ଅଧିକାରୀ ନିଯୁକ୍ତିକୁ ନେଇ ହୋଇଛି। ଏଲଜି ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଲାଗି ବିଜେପି କାଉନସିଲର ସତ୍ୟା ଶର୍ମାଙ୍କୁ ପୀଠାସୀନ ଅଧିକାରୀ ନିଯୁକ୍ତ କରିଛନ୍ତି। ଏହାକୁ ନେଇ ଆମଆଦମୀ ପାର୍ଟି (ଆପ୍) ଆପତ୍ତି କରିଛି। ପୀଠାସୀନ ଅଧିକାରୀଙ୍କ କାମ ଶୁକ୍ରବାର ଦିଲ୍ଲୀ ମେୟର ପଦ ଲାଗି ନିର୍ବାଚନ କରାଇବେ।

ଶୁକ୍ରବାର ନିର୍ବାଚନ ପୂର୍ବରୁ ସବୁ କାଉସିଲର ଶପଥ ଗ୍ରହଣ କରିବେ। ପରେ ପାଖାପାଖି ୧୧ଟା ବେଳକୁ ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟି ମେମ୍ବରଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ କାର୍ଯ୍ୟକ୍ରମ ଦିଲ୍ଲୀ ସିଭିକ ସେଣ୍ଟରର ଚତୁର୍ଥ ମହଲାରେ ହେବ। ମେୟର ନିର୍ବାଚନ ପାଇଁ ଧଳା ବାଲଟ ପେପର ବ୍ୟବହାର କରାଯିବ। ସେହିପରି ଡେପୁଟି ମେୟର ନିର୍ବାଚନ ଲାଗି ସବୁଜ ବାଲଟ ଉପଯୋଗ ହେବାକୁ ଥିବା ବେଳେ ଷ୍ଟାଣ୍ଡିଂ କମିଟି ମେମ୍ବର ନିର୍ବାଚନ ଲାଗି ପିଙ୍କ ବାଲଟ ପେପର ବ୍ୟବହାର ହେବ।

{"id":729307,"sizeSlug":"full","linkDestination":"none"}

ଏଥର ଦିଲ୍ଲୀ ମେୟର ନିର୍ବାଚନ ବେଶ୍ ରୋଚକ ହେବ। ଆମ ଆଦମୀ ପାର୍ଟି ନିକଟରେ ଏମସିଡି ସଦନର ବହୁମତ ରହିଛି। ଏହା ଜାଣି ମଧ୍ୟ ବିଜେପି ନିଜର ମେୟର ପ୍ରାର୍ଥୀ ଦେଇଛି। ନମ୍ବର ଖେଳରେ ଆପ ବିଜେପିଠାରୁ ଅନେକ ଆଗରେ। ବିଧାନସଭା ସଂଖ୍ୟା ବଳ ଆଧାରରେ ୧୪ରୁ ୧୩ ବିଧାୟକ ଆପର ଯେଉଁମାନେ ମେୟର ନିର୍ବାଚନରେ ଭୋଟ ଦେବେ। ୧୦ ସାଂସଦଙ୍କୁ ମଧ୍ୟ ନିର୍ବାଚନରେ ଭୋଟ ଦେବାର ଅଧିକାର ରହିଛି। ଯେଉଁଥିରୁ ୭ ବିଜେପିର ହୋଇଥିବା ବେଳେ ୩ ଆପର ରାଜ୍ୟସଭା ସାଂସଦ ଭୋଟ ଦେବେ।

୨୭୪ ମନୋନୀତ ଭୋଟିଂ ଅଧିକାରରେ ଆପର ୧୫୦ଟି ଭୋଟ ରହୁଥିବା ବେଳେ ବିଜେପି ନିକଟରେ ମାତ୍ର ୧୧୩ଟି ଭୋଟ ରହୁଛି। ମେୟର ନିର୍ବାଚନ ପାଇଁ ବିଜେପି ବରିଷ୍ଠ ନେତା ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି। ରେଖା ଗୁପ୍ତା ତୃତୀୟ ବାର କାଉନସିଲର ନିର୍ବାଚିତ ହୋଇଛନ୍ତି। ବିଜେପି ନମ୍ବର ଗେମରେ ପଛରେ ଥିଲେ ମଧ୍ୟ ଏମସିଡି ନିର୍ବାଚନରେ ଦଳବଦଳ ଆଇନ କାର୍ଯ୍ୟକାରୀ ହୁଏନି। ଭୋଟ ଲାଗି ହ୍ୱିପ୍ ମଧ୍ୟ ଜାରି ହୁଏନି। ଏଣୁ ଏଠାରେ ଯୋଡତୋଡ ଲାଗି ବେଶ୍ ସୁଯୋଗ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.