ଦିଲ୍ଲୀରେ ପୁଣି କଂଝାବାଲା ଭଳି ଘଟଣା, ଯୁବକକୁ ଧକ୍କା ମାରି ବନେଟ୍ ଉପରେ ଅଧ କିଲୋମିଟର ନେଇଗଲା କାର
14/01/2023 at 5:41 PM

ନୂଆଦିଲ୍ଲୀ ୧୪।୧: ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଅଜବ ଅଜବ ଘଟଣା ସବୁ ଘଟୁଛି। ନୂଆବର୍ଷ ପୂର୍ବଦିନ ରାତିରେ କାର ସ୍କୁଟରକୁ ଧକ୍କା ଦେଇ ଯୁବତୀଙ୍କୁ ୧୩ କିଲୋମିଟର ଘୋଷାରି ନେବା ଘଟଣାକୁ ନେଇ ଚର୍ଚ୍ଚା ନ ଥମୁଣୁ ଶନିବାର ରାଜୌରୀ ଗାର୍ଡନ ଅଞ୍ଚଳର ପୁଣି ସମାନ ପ୍ରକାରର ଘଟଣା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଜନୈକ କାର ଚାଳକ ଯୁବକଙ୍କୁ ଧକ୍କା ଦେଇ କାର ବନେଟ୍ ଉପରେ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି।
A person in a car hit a young man in Delhi's Rajouri Garden area and dragged him on the bonnet for half a kilometre. #delhi #manoncarbonet pic.twitter.com/Ms4zGIWwSL
— Sachin Tiwari (@SachinReport) January 14, 2023
କୁହାଯାଉଛି ରାଜୌରୀ ଗାର୍ଡନ ଅଞ୍ଚଳରେ ହର୍ଣ୍ଣ ବଜେଇବାକୁ ନେଇ କାର ଚାଳକ ସହ ଝଗଡାରେ ଏପରି ଘଟଣା ଘଟିଛି। ଏହି ଝଗଡାକୁ ନେଇ କାର ଆରୋହୀ ବ୍ୟକ୍ତିଙ୍କୁ ଗାଡିରେ ଧକ୍କା ଦେବା ସହ ବନେଟ୍ରେ ପକାଇ ଅଧକିଲୋମିଟର ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ସମ୍ବେଦନଶୀଳ ଘଟଣାକୁ ଦିଲ୍ଲୀ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଛି। ପୋଲିସ ମାମଲାରେ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବା ବେଳେ କାର ଏହାର ଚାଳକ ଓ ବନେଟ୍ରେ ଘୁଷୁଡୁଥିବା ବ୍ୟକ୍ତିଙ୍କ ସନ୍ଧାନ ନେବାକୁ ଉଦ୍ୟମ କରୁଛି।

ଏହା ପୂର୍ବରୁ ୧ ଯାନୁୟାରୀ ପୂର୍ବ ରାତ୍ରିରେ ଘଟିଥିବା କଂଝାୱାଲା କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ରାସ୍ତାରେ ଯାଉଥିବା ଜଣେ ପଥଚାରୀ କାର ଚକତଳେ ମଣିଷ ଘୋଷାରୀ ହେଉଥିବା ନେଇ ପୋଲିସକୁ ସୂଚିତ କରିଥିଲେ। ଦୀପକ ନାମକ ଜନୈକ ଯୁବକ ଖୀର ନେବା ଲାଗି ଭୋର ପ୍ରାୟ ୩ଟା ୧୫ ମିନିଟ୍ରେ ଗାଡିକୁ ଅପେକ୍ଷା କରିଥିବା ବେଳେ କାରକୁ ଆସୁଥିବାର ଦେଖିଥିଲେ। କାର ଚକତଳୁ ବାହାରୁଥିବା ଶବ୍ଦରୁ ତାଙ୍କ ଧ୍ୟାନ ସେ ଆଡେ ଯାଇଥିବା ବେଳେ ଚକ ତଳେ ମଣିଷ ଘୁଷୁରୁଥିବାର ଦେଖି ପୋଲିସକୁ ୩ଟା ୪୫ ମିନିଟ୍ରେ ଫୋନ କରିଥିଲେ। ଦୀପକ ବେଗମପୁର ପର୍ଯ୍ୟନ୍ତ କାରକୁ ପିଛା ମଧ୍ୟ କରିଥିଲେ। ଭୋର ପ୍ରାୟ ୫ଟା ପର୍ଯ୍ୟନ୍ତ ପୋଲିସ ତାଙ୍କ ସହ ସମ୍ପର୍କରେ ଥିଲେ ମଧ୍ୟ ତାଙ୍କ ପାଖକୁ କେହି ଆସିନଥିଲେ। ଏହି ଦୁର୍ଘଟଣାରେ ଅଞ୍ଜଳି ସିଂହ ନାମ୍ନୀ ଜନୈକା ୨୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିଲା।