ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଦେଶରେ ମକ୍ଡ୍ରିଲ୍ ହୋଇଛି । ବୁଧବାର ଦେଶର ବିଭିନ୍ନ ରାଜ୍ୟରେ ମକଡ୍ରିଲ୍ ହୋଇଛି । ଦିଲ୍ଲୀରୁ ପାଟଣା ଓ ଆନ୍ଧ୍ର ପ୍ରଦେଶ ଯାଏ ଅନେକ ସ୍ଥାନରେ ବ୍ଲାକଆଉଟ୍ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଦେଶର ୨୪୪ ଜିଲ୍ଲାରେ ମକ୍ଡ୍ରିଲ୍ ଆୟୋଜନ କରାଯାଇଥିଲା । ଏହି ଅପରେସନକୁ ଅପରେସନ୍ ଅଭ୍ୟାସ ନାଁ ଦିଆଯାଇଥିଲା ।
ମକ୍ଡ୍ରିଲ୍ ସମୟରେ ଅନେକ ଅଞ୍ଚଳରେ ସାଇରନ୍ ଶବ୍ଦ ଶୁଣିବାକୁ ମିଳିଥିଲା । ସରକାରଙ୍କ ଆଦେଶ ପାଳନ କରି ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ର ପ୍ରଦେଶ ପରି ଅନେକ ରାଜ୍ୟରେ ଅଭ୍ୟାସ କରାଯାଇଛି । ଏହି ରାଜ୍ୟ ବ୍ୟତୀତ ଓଡ଼ିଶାର ୧୨ ଜିଲ୍ଲା, ଆସାମର ୧୪, ମିଜୋରାମର ଆଇଜୋଲରେ ମଲଡ୍ରିଲ୍ କରାଯାଇଛି । ଜରୁରୀ ସ୍ଥିତିରେ ଯେକୌଣସି ମୁକାବିଲା ସାମନା କରିବା ପାଇଁ ଅଭ୍ୟାସ କରାଯାଇଛି । ଏହି ସମୟରେ ଆକାଶ ମାର୍ଗକୁ ଆକ୍ରମଣ, ନିଆଁ ଲାଗିବା ସମୟରେ ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ଅନେକ ପ୍ରତିକୂଳ ସ୍ଥିତିର ମୁକାବିଲା କରାଯାଇଥିଲା ।
ମହାରାଷ୍ଟ୍ରର ମୁମ୍ୱାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଓ ଦକ୍ଷିଣ ମୁମ୍ୱାଇରେ କ୍ରସ ମୈଦାନରେ ମକ୍ଡ୍ରିଲ୍ କରାଯାଇଥିଲା । ଟର୍ମିନାଲ୍ରେ ଜିଆରପି ଓ ଅନ୍ୟ ସୁରକ୍ଷା କର୍ମୀ ମକ୍ଡ୍ରିଲ୍ କରିଥିଲେ । ଦକ୍ଷିଣ ମୁମ୍ୱାଇର କ୍ରସ୍ ମୈଦାନରେ ସଂଧ୍ୟା ଚାରିଟାରେ ସାଇରନ୍ ବାଜିଥିଲା । ଏହାପରେ ଅଗ୍ନିଶମ ବାହିନୀ ଓ ଚିକିତ୍ସକଙ୍କ ଟିମ୍ ଆହତଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ିଥିଲେ । ନକଲି ବିସ୍ଫୋରଣ ପରେ ଲାଗିଥିବା ନିଆଁ ପରେ ଅଭ୍ୟାସ ଆରମ୍ଭ କରାଯାଇଥିଲା । ନାଗରିକ ସୁରକ୍ଷା ସ୍ୱୟଂସେବକ ସର୍ବପ୍ରଥମେ ପ୍ରତିକ୍ରିୟା ଦେଇ ପୂରା ଅଞ୍ଚଳକୁ ଘେରାଉ କରିଥିଲେ । ନିଆଁକୁ ଲିଭାଯିବା ପରେ ଆହତଙ୍କୁ ହସ୍ପିଟାଲ ପଠାଇ ମଲ୍ଡ୍ରିଲକୁ ଶେଷ କରାଯାଇଥିଲା ।