ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ଇସ୍ତଫା

Published By : Prameya-News7 Bureau | May 18, 2022 IST

ନୂଆଦିଲ୍ଲୀ:  ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଦିଲ୍ଲୀର ଉପ-ରାଜ୍ୟପାଳ ଅନିଲ୍ ବୈଜଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଇଛି। ନଜୀବ ଜଙ୍ଗଙ୍କ ପରେ ଅନିଲ୍  ବୈଜଲ ଦିଲ୍ଲୀର ଉପ ରାଜ୍ୟପାଳ ଥିଲେ। ତାଙ୍କୁ ୨୦୧୬ ଡିସେମ୍ବରରେ ଦିଲ୍ଲୀର ଉପ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଥିଲା। ପ୍ରଶାସନିକ କାର୍ଯ୍ୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ଭିତରେ ସର୍ବଦା ବାଦ ବିବାଦ ଲାଗି ରହିଥିଲା।

୨୦୨୧ ଡିସେମ୍ବର ୩୦ରେ  ବୈଜଲଙ୍କ କାର୍ଯ୍ୟକାଳ ପୂରି ସାରିଥିଲା। ମାତ୍ର ପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ଉପ-ରାଜ୍ୟପାଳ ରହିଥିଲେ। ସାମ୍ବିଧାନିକ ଅଧିକାରକୁ ନେଇ ତାଙ୍କର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ମଧ୍ୟରେ ବିବାଦ ଲାଗି ରହିଥିଲା।

ବୈଜଲ ୧୯୬୯ ବ୍ୟାଚର ଆଇଏଏସ ଅଫିସର। ସେ ଦିଲ୍ଲୀର ୨୧ତମ ଉପ ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରୀୟ ଗୃହ ସଚିବ ଭାବେ କାମ କରିଛନ୍ତି। ଗୃହ ସଚିବ ରହିବା ସମୟରେ ସେ କିରଣ ବେଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏବଂ ହେଡ୍ ଅଫ ଜେଲ୍‌ ପଦରୁ ହଟାଇ ଦେଇଥିଲେ।

ଅନିଲ ବୈଜଲ ଅନେକ ମନ୍ତ୍ରଣାଳୟରେ ଗୁରୁତ୍ଵପୂର୍ଣ୍ଣ ପଦ ସମ୍ଭାଳିଛନ୍ତି। ଦିଲ୍ଲୀ ବିକାଶ ପ୍ରାଧୀକରଣର ଉପ ସଚିବ ଭାବେ ସେ କାର୍ଯ୍ୟ କରିଛନ୍ତି। ୨୦୦୬ରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ପଦରୁ ଅବସର ନେଇଥିଲେ। ଏହା ପରେ ଜବାହରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନରେ ସାମିଲ୍ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.