ନୂଆଦିଲ୍ଲୀ ୧୫।୧୨: ନାଗରିକତା (ସଂଶୋଧନ) ଆଇନକୁ ନେଇ ରବିବାର ଦିଲ୍ଲୀ ଦୋହଲାଇଛନ୍ତି ବିକ୍ଷୋଭକାରୀ। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରୁ ବିକ୍ଷୋଭ ଆରମ୍ଭ ହୋଇଥିବା ବେଳେ ପରେ କ୍ୟାମ୍ପସ୍ ସଲଗ୍ନ ଦକ୍ଷିଣ ଦିଲ୍ଲୀକୁ ବ୍ୟାପୀଯାଇଛି। ଉତ୍ତେଜିତ ବିକ୍ଷୋଭକାରୀ ରାସ୍ତାରେ ଚାଲୁଥିବା ବସ୍ ଅଟକାଇ ନିଆଁ ଲଗାଇଦେଇଛନ୍ତି। ଫଳରେ ୪ଟି ବସ୍ ଜଳିଯାଇଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ଦମକଳ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି ।
ତେବେ ପରେ ଜାମିଆ କର୍ତ୍ତୃପକ୍ଷ କ୍ୟାମ୍ପସ୍ ରେ ଆନ୍ଦୋଳନକୁ ଅସ୍ୱୀକାର କରିବା ସହ ବାହାରେ ଲୋକେ ଆନ୍ଦୋଳନ କରିଥିବା ସ୍ପଷ୍ଟିକରଣ ଦେଇଥିଲେ। ତେବେ କ୍ୟାମ୍ପସ୍ରେ ଅରାଜକ ତତ୍ୱ ଥିବା ସନ୍ଦେହରେ ପୋଲିସ ସମ୍ପୂର୍ଣ୍ଣ କ୍ୟାମ୍ପସ୍କୁ ଘେରାଉ କରିଥିବା ବେଳେ ଜାମିଆମିଲିଆ ଛାତ୍ରମାନେ ବିଳମ୍ବିତ ସଂଧ୍ୟାରେ ବିଭିନ୍ନ ରାସ୍ତାରେ ଯାଇ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଘେରାଉ କରିଛନ୍ତି। ପୋଲିସ କିଛି ଛାତ୍ର ଓ ଅଣଛାତ୍ରଙ୍କୁ ଗିରଫ ମଧ୍ୟ କରିଛି। ଜାତୀୟ ରାଜଧାନୀରେ ହିଂସାକୁ ଦେଖି କର୍ତ୍ତୃପକ୍ଷ ମେଟ୍ରୋ ରେଳ ସେବା ବନ୍ଦ କରିଥିବା ବେଳେ ସାର୍ବଜନିକ ପରିବହନ ମଧ୍ୟ ପ୍ରଭାବିତ ହୋଇଛି।