ପାଳନ ହେଉନି ନିୟମ; ଘରୋଇ ସ୍କୁଲ୍‌ରେ ୨୫% ଆର୍ଥିକ ଦୁର୍ବଳ ଓ ପଛୁଆ ବର୍ଗର ବିଦ୍ୟାର୍ଥୀଙ୍କୁ ଆଡ୍‌ମିଶନ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | December 16, 2022 IST

ନୂଆଦଲ୍ଲୀ: ଦିଲ୍ଲୀର ଘରୋଇ ସ୍କୁଲ୍‌ରେ ଆର୍ଥିକ ଦୁର୍ବଳ ଓ ପଛୁଆ ବର୍ଗର ପିଲାଙ୍କୁ ଶିକ୍ଷାଦାନ ସୁନିଶ୍ଚିତ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ। ସରକାରୀ ଅନୁଦାନ ମିଳୁନଥିବା ଘରୋଇ ସ୍କୁଲ୍‌ଗୁଡ଼ିକରେ ପ୍ରତିବର୍ଷ ୨୫ ପ୍ରତିଶତ ଆର୍ଥିକ ଦୁର୍ବଳ ଓ ପଛୁଆ ବର୍ଗର ପିଲାଙ୍କ ଆଡ୍‌ମିଶନ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସ୍କୁଲ୍‌ଗୁଡ଼ିକ ଆର୍ଥିକ ଦୁର୍ବଳ ବର୍ଗର ପିଲାଙ୍କୁ ଆଡ୍‌ମିଶନ କରାଇବେ ନାହିଁ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

ଏନେଇ କୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ଶିକ୍ଷା କ୍ଷେତ୍ରରେ ସରକାରୀ ନିୟମକୁ ଠିକ୍ ଭାବରେ ପାଳନ କରାଯାଉ ନାହିଁ। ତେଣୁ ଏଭଳି ସ୍ଥିତିରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ପିଲାମାନଙ୍କୁ ତାଙ୍କର ମଉଳିକ ଅଧିକାର ପାଇବା ପାଇଁ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଛି। ଘରୋଇ ସ୍କୁଲ୍‌ରେ ଯେମିତି ପିଲାମାନେ ଆର୍‌ଟିଇ(ଶିକ୍ଷାଗତ ଅଧିକାର)ରେ ଥିବା ଅଧିକାରରୁ ବଞ୍ଚି ନ ହୁଅନ୍ତି ସେ ନେଇ ସୁନିଶ୍ଚିତ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।   

ପିଲାଙ୍କ ସପକ୍ଷରେ ମାମଲା ଲଢ଼ୁଥିବା ଓକିଲ ଦିଲ୍ଲୀରେ ଆର୍ଥିକ ଦୁର୍ବଳ ଓ ପଛୁଆ ବର୍ଗର ପିଲାଙ୍କ ଅବସ୍ଥା କୋର୍ଟଙ୍କୁ ଅବଗତ କରାଇଥିଲେ। ପିଲାଙ୍କୁ ପାଠ ପଢିବାକୁ ଦିଆଯାଉ ନାହିଁ। ତାଙ୍କ ଅଭିଭାବକମାନଙ୍କୁ ଅପମାନିତ କରି ଫେରାଇ ଦିଆଯାଉଛି ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ ଓକିଲ। ମାମଲା ଶୁଣି ଘରୋଇ ସ୍କୁଲ୍‌ଗୁଡ଼ିକର ଏଭଳି ଆସ୍ପର୍ଦ୍ଧା ବିରୋଧରେ କୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ ନିୟମ ପାଳନ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.