ଦୁଷ୍କର୍ମ ମାମଲା ଖାରଜ କଲେ କୋର୍ଟ; ସର୍ତ୍ତ ରଖିଲେ- ଅନାଥଙ୍କୁ ଖାଇବାକୁ ଦେବ ବର୍ଗର

Published By : Prameya-News7 Bureau | October 05, 2022 IST

ନୂଆଦିଲ୍ଲୀ: ଦୁଇ ଅନାଥାଶ୍ରମକୁ ସୁସ୍ଥ ଓ ଉନ୍ନତମାନର ବର୍ଗର ଖାଇବାକୁ ଦେଲେ ବିରୋଧରେ ଲାଗିଥିବା ଦୁଷ୍କର୍ମ ଅଭିଯୋକୁ ଖାରଜ କରାଯିବ। ଏଭଳି ଏକ ସର୍ତ୍ତ ରଖି ବ୍ୟକ୍ତିଙ୍କ ବିରୋଧରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କଥା ଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଖବରଟି ସତ।

ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ପିଛା କରିବା, ଅପରାଧିକ ବ୍ୟବହାର କରିବା ଓ ଦୁଷ୍କର୍ମ ଅଭିଯୋଗ ଲାଗିଥିଲା। ହେଲେ କୋର୍ଟ ଏହି ମାମଲାରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି। ସର୍ତ୍ତ ମୁତାବକ ବ୍ୟକ୍ତି ଯେମିତି ଉନ୍ନତମାନର ବର୍ଗର ଅନାଥାଶ୍ରମକୁ ଠିକ୍ ଭାବେ ଯୋଗାନ୍ତି ତାହା ତଦାରଖ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ପୂର୍ବତନ ପତ୍ନୀଙ୍କୁ ୪.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।    

ଜଷ୍ଟିସ୍ ଜସମୀତ ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ବ୍ୟକ୍ତିଙ୍କ ବିରୋଧରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ଖାରଜ କରିଦେଇଛନ୍ତି। କାରଣ ବିବାହ ପରେ ଦମ୍ପତିଙ୍କ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥିବାରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ବୈବାହିକ ସମସ୍ୟା ଦର୍ଶାଇ କୋର୍ଟ ଉଭୟଙ୍କ ସହମତିରେ ମାମଲା ଖାରଜ କରିଛନ୍ତି।

ଏହା ପୂର୍ବରୁ ଜୁଲାଇ ୪ ତାରିଖରେ ଉଭୟ ପକ୍ଷ ଦିଲ୍ଲୀର ସାକେତ୍ କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଯାଇ ମାମଲାର ସମାଧାନ କରିଥିଲେ। ଏହାର ରିପୋର୍ଟ ହାଇକୋର୍ଟରେ ପୈଠ କରିଥିଲେ। ବିନା କୌଣସି ଧମକ, ଚାପ ବା ଅନ୍ୟ କୌଣସି ପ୍ରଭାବରେ ନ ଆସି ସେମାନଙ୍କ ଇଚ୍ଛା ଅନୁସାରେ ଏହାର ସମାଧାନ ହୋଇଛି ବୋଲି ଉଭୟ ପକ୍ଷ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ। ତେଣୁ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଖାରଜ ହେଲେ ମହିଳାଙ୍କର କୌଣସି ଆପତ୍ତି ନାହିଁ ବୋଲି ମହିଳା କୋର୍ଟରେ କହିବା ପରେ ମାମଲା ଖାରଜ ହୋଇଛି।

ଭୁଲ୍ ବୁଝମଣା ଯୋଗୁ ମାମଲା କରାଯାଇଛି ବୋଲି କୋର୍ଟ କହିଛନ୍ତି। ୨୦୨୦ରୁ ଏହି ମାମଲା ଗଡିଆସୁଛି। ଏଥିରେ ପୁଲିସ ଓ ନ୍ୟାୟିକ ବ୍ୟବସ୍ଥାର ଅନେକ ସମୟ ନଷ୍ଟ ହୋଇଛି, ଯାହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମର ଲଗାଯାଇ ପାରିଥାନ୍ତା। ଏଥିପାଇଁ ଆବେଦନ କର୍ତ୍ତା ସମାଜ ପାଇଁ କିଛି ଭଲ କାମ କରିବା ନିହାତି ଦରକାର। ଏହାପରେ ହାଇକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଦୁଇଟି ଅନାଥା ଶ୍ରମରେ ପାଖାପାଖି ୧୦୦ ପିଲାଙ୍କୁ ଉନ୍ନତମାନର ବର୍ଗର ଖୁଆଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ଉକ୍ତ ବ୍ୟକ୍ତିଙ୍କର ନୋଏଡ଼ା ମୟୂର ବିହାରରେ ‘ୱାଟ ଏ ବର୍ଗର’ ନାମକ ଏକ ବର୍ଗର ରେଷ୍ଟୁରାଣ୍ଟ ଅଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.