ପ୍ରଣୟ ରାୟ ଓ ରାଧିକା ରାୟଙ୍କୁ ବିଦେଶ ଯିବାକୁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ, ଜାଣନ୍ତୁ କହିଲେ କ’ଣ?
23/05/2023 at 8:56 PM

ନୂଆଦିଲ୍ଲୀ ୨୩।୫: ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଏନଡିଟିଭି ସଂସ୍ଥାପକ ପ୍ରଣୟ ରାୟ ଓ ତାଙ୍କ ପତ୍ନୀ ରାଧିକା ରାୟଙ୍କୁ ବ୍ୟବସାୟୀକ ଉଦ୍ଦେଶ୍ୟ ଓ ବ୍ୟକ୍ତିଗତ କାରଣ ଲାଗି ୩ ସପ୍ତାହ ନିମନ୍ତେ ବିଦେଶ ଯିବାକୁ ମଙ୍ଗଳବାର ଅନୁମତି ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ପ୍ରତିଭା ଏମ.ସିଂହ କହିଛନ୍ତି ଯେ ଆବେଦନକାରୀଙ୍କୁ ପେଷାଦାରୀ ଦୃଷ୍ଟିରୁ ଦେଖିଲେ ସେମାନେ ଫେରାର ହେବାର ସମ୍ଭାବନା ନଥିବା କହିଛନ୍ତି। ଏଣୁ ୨୫ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କୁ ବିଦେଶ ଯାତ୍ରା ଅନୁମତି ଦିଆଯାଇପାରେ ବୋଲି କହିଛନ୍ତି।

ଜଷ୍ଟିସ୍ ସିଂହ କହିଛନ୍ତି ଯେ ରେଜିଷ୍ଟାରଙ୍କ ନିକଟରେ ଏହି ଅଦାଲତଙ୍କ ଆବଶ୍ୟକ ସର୍ତ୍ତ ପାଳନ କରିବା ପରିସ୍ଥିତିରେ ସେମାନଙ୍କୁ ବ୍ରିଟେନ ଯାତ୍ରାର ଅନୁମତି ଦିଆଯାଇପାରେ। ଏଣୁ ଏକକ ନ୍ୟାୟାଧୀଶଙ୍କ ପୀଠ ସେମାନଙ୍କୁ ରେଜିଷ୍ଟ୍ରାରଙ୍କ ନିକଟରେ ସେମାନଙ୍କ ଯାତ୍ରାର କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି । ରାୟ ଏକ ଦୀର୍ଘ ଲମ୍ବିତ ଆବେଦନରେ ଏଥି ପାଇଁ ନିବେଦନ କରିଥିଲେ। କଥିତ ଅନିୟମିତତାକୁ ନେଇ ରାୟ ଦମ୍ପତ୍ତିଙ୍କ ବିରୋଧରେ ସିବିଆଇ ଦୁଇଟି ଏତଲା ରୁଜୁ କରିବା ପରେ ତାଙ୍କ ବିରୋଧରେ ଜାରି ଲୁକ୍ ଆଉଟ୍ ସର୍କୁଲାରକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସେହିପରି ରାୟଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲ ବ୍ୟବସାୟ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି। ଯେଉଁଥିରେ ପ୍ରଣୟ ରାୟ ତାଙ୍କ ଭାଇଙ୍କୁ ଭେଟିବାର ବି କାର୍ଯ୍ୟକ୍ରମ ରହିଛି। ତେବେ ସିବିଆଇ ପକ୍ଷର ଓକିଲ ଆବେଦନକୁ ତଦନ୍ତ ଲମ୍ବିତ ଥିବାର କହି ବିରୋଧ କରିଥିଲେ। ତେବେ ଜଷ୍ଟିସ୍ ସିଂହ କହିଥିଲେ ଯେ ଗତବର୍ଷ ରାୟ ଦମ୍ପତ୍ତିଙ୍କୁ ଉଚ୍ଚନ୍ୟାୟାଳୟଙ୍କ ଏକ ସମନ୍ୱୟ ପୀଠ ବିଦେଶ ଯାତ୍ରା ଲାଗି ଅନୁମତି ଦେଇଥିଲେ।