ରାଜୀବ ଗାନ୍ଧି ପେଣ୍ଟିଂ ବିକ୍ରି ମାମଲା: ପ୍ରିୟଙ୍କା ୱାଡ୍ରା, ମିଲିନ୍ଦ ଦେଓଡା ଓ ଇୟେସ୍ ବ୍ୟାଙ୍କ ସଂସ୍ଥାପକଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱାସ୍ତି

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୮:  ରାଜୀବ ଗାନ୍ଧିଙ୍କ ପେଣ୍ଟିଂ ବିକ୍ରି ମାମଲାରେ ପ୍ରିୟଙ୍କା ୱାଡ୍ରା, ମିଲିନ୍ଦ ଦେଓଡା ଓ  ଇୟେସ୍ ବ୍ୟାଙ୍କ ସଂସ୍ଥାପକ ରାଣା କପୁରଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି।  ପେଣ୍ଟିଂ କିଣା ଓ ବିକାରେ ଠକେଇ ଅଭିଯୋଗ ଆଣି ମାମଲାର ସିବିଆଇ ଓ ଇଡି ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ନିମନ୍ତେ ରୁଜୁ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ଏକ ଏନଜିଓ ପକ୍ଷରୁ ଏ ନେଇ ରୁଜୁ ପିଟିନସକୁ ଜଷ୍ଟିସ୍ ବିଭୂ ବାଖରୁଙ୍କ କୋର୍ଟ ଶୁଣାଣି କରିଥିଲେ। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ଏକ ପେଣ୍ଟିଂକୁ ପ୍ରିୟଙ୍କା ୱାଡ୍ରା ୨ କୋଟି ଟଙ୍କାରେ ଇୟେସ୍ ବ୍ୟାଙ୍କ ସଂସ୍ଥାପକ ରାଣା କପୁରଙ୍କୁ ବିକ୍ରି କରିଥିବାର ଏନଜିଓ ଅଭିଯୋଗ  କରିଛି। ରାଜୀବଙ୍କ ଏହି ପେଣ୍ଟିଂ କଂଗ୍ରେସର ସମ୍ପତ୍ତି। ତେବେ ପ୍ରିୟଙ୍କା ଏହାକୁ ଅନଧିକାରୀକ ବିକ୍ରି କରିଦେଇଥିବା ବେଳେ ଏହି କିଣା ବିକାରେ ମିଲିନ୍ଦ ଦେଓଡା ରାଣାଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ମିଲିନ୍ଦ ଦେଓଡା ଅନ୍ୟ ଏକ ଠକେଇ ମାମଲାରେ ଏବେ ଜେଲରେ ବନ୍ଦୀ ଅଛନ୍ତି।

 ଏଣୁ ପେଣ୍ଟିଂ କିଣାବିକା ମଧ୍ୟ ଏକ ଠକେଇ  ଜାଲସାଜି ମାମଲା ହୋଇଥିବାରୁ ଆବେଦନକାରୀ ଏନଜିଓ ମାମଲାର ସିବିଆଇ ଓ ଇଡି ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ନିମନ୍ତେ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ଜଷ୍ଟିସ୍ ବଖାରୁ ଇୟେସ୍ ବ୍ୟାଙ୍କ ମାମଲାରେ ରାଣା କପୁର ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଏଣୁ ତାଙ୍କ ବିରୋଧରେ ଅଭିଯୋଗ ନିମ୍ନ ଅଦାଲତରେ ବିଚାରାଧୀନ ରହିଛି।  ଏ ନେଇ ତଦନ୍ତ ନିର୍ଦ୍ଦେଶ ନିମ୍ନ ଅଦାଲତ ହିଁ ଦେଇ ପାରିବେ ବୋଲି କହିଛନ୍ତି।

ଜଷ୍ଟିସ୍ ବଖାରୁଙ୍କ କୋର୍ଟ ଏଥିଲାଗି ଅଭିଯୋଗକାରୀଙ୍କୁ ନିମ୍ନ ଅଦାଲତଙ୍କ ସହ ସମ୍ପର୍କ କରିବା ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ଦେଓଡାଙ୍କ ବିରୋଧରେ ଏତଲା ରୁଜୁ ଲାଗି ମଧ୍ୟ କୋର୍ଟ ଆବେଦନକାରୀଙ୍କୁ ମାର୍ଗ ଦର୍ଶନ କରିଛନ୍ତି। ଏଥିରେ ତାଙ୍କୁ ନିମ୍ନ ଅଦାଲତରେ ସିଆରପିସିର ଧାରା ୧୫୬(୩) ଅନୁସାରେ ଅଭିଯୋଗ କରିବାକୁ କହିବା ସହ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.