ଦିଲ୍ଲୀ ହାଇକୋର୍ଟକୁ ପହଞ୍ଚିଲା ବ୍ରହ୍ମୋସ୍ ମିସ୍ ଫାୟାର କେସ୍, ୱିଙ୍ଗ କମାଣ୍ଡର କହିଲେ ମୋତେ ବର୍ଖାସ୍ତ କରିବା ଭୁଲ
16/03/2023 at 6:23 PM

ନୂଆଦିଲ୍ଲୀ ୧୬।୩: ଗତବର୍ଷ ମାର୍ଚ୍ଚ ମାସରେ ଭୁଲକ୍ରମେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାକିସ୍ତାନରେ ଯାଇ ପଡିଥିଲା। ଏହି ମାମଲାରେ ବର୍ଖାସ୍ତ ୱିଙ୍ଗ କମାଣ୍ଡର ଅଭିନବ ଶର୍ମା କୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ଶର୍ମାଙ୍କୁ ଭାରତୀୟ ବାୟୁସେନା ପାକିସ୍ତାନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପଡିବା ପରେ ଚାକିରୀରୁ ବର୍ଖାସ୍ତ କରିଦେଇଥିଲା। ଏବେ ଶର୍ମା ଦିଲ୍ଲୀ ହାଇକୋର୍ଟରେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ବାୟୁସେନା ମୁଖ୍ୟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି।
ତାଙ୍କୁ ଏପରି ଚାକିରୀରୁ ବାହାର କରିଦିଆଯିବା ଭୁଲ ବୋଲି ସେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି। ସେହିପରି ମାମଲାରେ ହୋଇଥିବା କୋର୍ଟ ଅଫ ଇନକ୍ୱାରୀରେ ତାଙ୍କୁ ନିଜର ପକ୍ଷ ରଖିବାକୁ ଦିଆଯାଇନଥିଲା ବୋଲି ଉଲ୍ଲେଖ କରିଛନ୍ତି। ବର୍ଖାସ୍ତ ୱିଙ୍ଗ କମାଣ୍ଡର ଅଭିନବ ଶର୍ମାଙ୍କ ପିଟିସନ ଉପରେ କାର୍ଯ୍ୟାନୁଷ୍ଠାନ କରି ହାଇକୋର୍ଟ କେନ୍ଦ୍ର ସରକାର, ବାୟୁସେନା ମୁଖ୍ୟ ଓ ଅନ୍ୟଙ୍କୁ ନୋଟିସ୍ କରି ଗତବର୍ଷ ସିମୁଲେସନ ଅଭ୍ୟାସ କାଳରେ ଭୁଲକ୍ରମରେ ପାକିସ୍ତାନକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ ହେବା ଘଟଣାରେ ନିଜର ପକ୍ଷ ରଖିବାକୁ କହିଛନ୍ତି।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୁରେଶ କୁମାର କୈତ୍ ଓ ଜଷ୍ଟିସ୍ ନିନା ବଂସଲ କୃଷ୍ଣାଙ୍କ ପୀଠ ଏ ବାବଦ କେନ୍ଦ୍ରକୁ ନୋଟିସ୍ ଜାରି କରିବା ସହ ଜବାବ ରଖିବାକୁ ୬ ସପ୍ତାହ ସମୟ ଦେଇଛନ୍ତି। ନିଜ ତର୍କରେ ପୂର୍ବତନ ୱିଙ୍ଗ କମାଣ୍ଡର ଯିଏ ଘଟଣା ବେଳେ ଜେଣେ ଇଞ୍ଜିନିୟରିଂ ଅଧିକାରୀ ଭାବେ ମୁତୟନ ଥିଲେ ବୋଲି ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଡ୍ୟୁଟି ଲାଗି ପ୍ରଶିକ୍ଷିତ କରାଯାଇଥିଲା ଯାହା ବିଶୁଦ୍ଧ ରୂପେ ରକ୍ଷଣାବେକ୍ଷଣ ପ୍ରକୃତିର ଥିଲା। ତେବେ ତାଙ୍କୁ ଅସ୍ତ୍ର ସଞ୍ଚାଳନ ଅଥବା ଏହାର ଅପରେସନ ନେଇ କୌଣସି ପ୍ରଶିକ୍ଷଣ ଦିଆଯାଇନଥିଲା।
କୋର୍ଟ ଅଫ ଇନକ୍ୱାରୀରେ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ନେଇ ସେ କୌଣସି ପ୍ରକାର ପ୍ରଶିକ୍ଷଣ ପ୍ରାପ୍ତ କରିନଥିଲେ। ତେବେ ଅତିରିକ୍ତ ସୋଲିସିଟର ଜେନେରାଲ କୋର୍ଟରେ ଶର୍ମାଙ୍କ ପିଟିସନକୁ ବିରୋଧ କରିଥିଲେ। କହିଥିଲେ ଯେ ବର୍ଖାସ୍ତ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରାଯାଇ ପାରିବନି। ଏହି ଘଟଣାରେ ୱିଙ୍ଗ କମାଣ୍ଡର ଅନୁଭବ ଶର୍ମା ଓ ଅନ୍ୟ ୩ ବାୟୁସେନା ଅଧିକାରୀଙ୍କୁ ୮ ମାସ ପୂର୍ବେ ଚାକିରୀରୁ ବର୍ଖାସ୍ତ କରିଦିଆଯାଇଥିଲା। କୋର୍ଟ ଅଫ ଇନକ୍ୱାରୀରେ ମୋବାଇଲ ଅଟୋନମସ ଲଞ୍ଚର(ଏମଏଏଲ) ରେ ଲୋଡ ହୋଇଥିବା ସବୁ କ୍ଷେପଣାସ୍ତ୍ରର କନେକ୍ଟରକୁ ଡିସକନେକ୍ଟ କରିବା ସମ୍ଭବ ହୋଇନଥିଲା। ମାମଲାର ଯାଞ୍ଚକାରୀ ଦଳ ଏହାକୁ ଏସଓପିର ଉଲ୍ଲଂଘନ ମନେ କରିଥିଲେ।

ଅଭିନବ ଶର୍ମାଙ୍କ ବିରୋଧରେ କ୍ଷେପଣାସ୍ତ୍ର ଲଞ୍ଚ ରୋକିବାରେ ବିଫଳତାର ଅଭିଯୋଗ ହୋଇଥିଲା। ଘଟଣା ସମୟରେ ସେ ସ୍କ୍ୱାଡ୍ରନରେ ଜଣେ ଇଞ୍ଜିନିୟରିଂ ଅଧିକାରୀ ଭାବେ ନିଯୁକ୍ତ ଥିଲେ ଓ ସେ କେବଳ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ପେଷାଦାର ଓ ବ୍ୟବହାରିକ ପ୍ରଶିକ୍ଷଣ ଦେଉଥିଲେ। ଜଣେ ଇଞ୍ଜିନିୟରିଂ ଅଧିକାରୀ ରୂପେ ତାଙ୍କୁ କେବେ କ୍ଷେପଣାସ୍ତ୍ର ପରିଚାଳନା ଲାଗି ପ୍ରଶିକ୍ଷଣ ଦିଆଯାଇନଥିଲା। ଏହା କେବଳ କମାଣ୍ଡିଂ ଅଫିସର ଓ ସଞ୍ଚାଳନ ଅଧିକାରୀଙ୍କ ଦାୟିତ୍ୱରେ ଥିଲା।
ତେବେ ପାକିସ୍ତାନ ସେନା ସେତେବେଳେ କ୍ଷେପଣାସ୍ତ୍ର ଯୋଗୁ ଅନେକ ଲୋକଙ୍କ ଧନଜୀବନ ବିପଦରେ ପଡିଯାଇଥିଲା ବୋଲି ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମୋସ୍ ଏକ ପରମାଣୁ ଆକ୍ରମଣ ସକ୍ଷମ କ୍ରୁଜ କ୍ଷେପଣାସ୍ତ୍ର। ଏହାକୁ ଭାରତ ଓ ଋଷିଆ ମିଳିତ ନିର୍ମାଣ କରିଛନ୍ତି। ଗତବର୍ଷ ଏହି କ୍ଷେପଣାସ୍ତ୍ର ଶବ୍ଦ ଠାରୁ ୩ ଗୁଣା ଅଧିକ ବେଗରେ ୪୦ ହଜାର ଫୁଟ ଉପରେ ଉଡି ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିଥିଲା ବୋଲି ପାକିସ୍ତାନ ଏୟାରଫୋର୍ସ ଅଭିଯୋଗ କରିଥିଲା।