ଏନ୍ଆଇଏର ଫାଶୀ ଆବେଦନ: ୟାସିନ ମଲ୍ଲିକକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍
29/05/2023 at 4:12 PM

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାସିନ ମଲ୍ଲିକକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍। ଏନ୍ଆଇଏର ଫାଶୀ ଆବେଦନ ଉପରେ ନୋଟିସ୍ କରିଛନ୍ତି କୋର୍ଟ।
ମେ ୨୬ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ୟାସିନକୁ ଫାଶୀ ଦଣ୍ଡ ପାଇଁ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲା। ଏଭଳି ଆତଙ୍କବାଦୀଙ୍କୁ ଫାଶୀ ନ ଦେଲେ ନ୍ୟାୟ ଠିକ୍ ବାଟରେ ଯିବ ନାହିଁ ବୋଲି ଏନ୍ଆଇଏ କହିଥିଲା। ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲ୍ଏଫ୍) ମୁଖ୍ୟ ୟାସିନ ମଲ୍ଲିକଙ୍କୁ ଟ୍ରାଏଲ୍ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ତାଙ୍କ ବିରୋଧରେ ୟୁଏପିଏ ଆକ୍ଟ ଲାଗିଛି।

ପଢ଼ନ୍ତୁ- ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀର ଦୋଷ କ୍ଷମା କରାଯାଇଛି, ୟାସିନ ମଲ୍ଲିକର ମାମଲାରେ ପୁନର୍ବିଚାର ହେଉ; ମେହବୁବା ମୁଫ୍ତୀ
ଏନ୍ଆଇଏ ପକ୍ଷରୁ କୋର୍ଟରେ ଆବେଦନ କରି ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେବା ପରେ ୟାସିନକୁ ଫାଶୀନ ଦେଲେ ଦଣ୍ଡନୀତି ବାଟବଣା ହେବ। ଏଥିରେ ଆତଙ୍କବାଦୀଙ୍କ ଖସିଯିବାର ବାଟ ଖୋଲିଯିବ। ଅଭିଯୁକ୍ତ ବଡ଼ ଚତୁରତାର ସହ ଦୋଷ ସ୍ୱୀକାର କରି ସୁରକ୍ଷାରେ ରହିଛି। ଯଦି ଏଭଳି ଜାରି ରହିବ ତେବେ ବଡ଼ ବଡ଼ ଆତଙ୍କବାଦୀମାନେ ଚତୁରତା କରି ଦଣ୍ଡରୁ ବଞ୍ଚିଯିବେ ବୋଲି ତୁଷାର ମେହେତା କୋର୍ଟରେ କହିଛନ୍ତି।
ଏନେଇ ଜଷ୍ଟିସ ସିଦ୍ଧାର୍ଥ ମ୍ରୁଦୁଲି ଓ ତଲୱନ୍ତ ସିଂହଙ୍କ ଖଣ୍ଡପୀଠ ମାମଲାରେ ୟାସିନଙ୍କୁ ନୋଟିସ୍ କରିଛନ୍ତି। ଏହି ଆବେଦନରେ ୟାସିନ କେବଳ ଜଣେ ମାତ୍ର ପକ୍ଷଧାର। ଏବଂ ସେ ଆଇପିସି ୧୨୧ରେ ସଜା କାଟୁଛି। ଏହି ଆକ୍ଟରେ ମୃତ୍ୟୁ ଦଣ୍ଡରେ ବି ବିକଳ୍ପ ରହିଛି। ତେଣୁ ଦୁଇଟିଯାକା ତାଙ୍କୁ ନୋଟିସ୍ କରାଯାଇଛି ବୋଲି ଖଣ୍ଡପୀଠ କହିଛି। ତିହାର ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ମାଧ୍ୟମରେ ୟାସିନଙ୍କୁ ନୋଟିସ୍ କରାଯାଇଛି। ଅଗଷ୍ଟ ୯ ତାରିଖରେ ମାମଲର ପରବର୍ତ୍ତୀ ଶୁଣାଣି ହେବ।

ମେ ୨୬ ତାରିଖରେ ଏନ୍ଆଇ ଫାଶୀ ଦଣ୍ଡ ପାଇ କୋର୍ଟରେ ଦ୍ୱାରସ୍ଥ ହେବା ପରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମେହବୁବା ମୁଫ୍ତୀ ୟାସିନଙ୍କ ସମର୍ଥନରେ ବାହାରିଛନ୍ତି। ଏ ଦେଶରେ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ ଯଦି କ୍ଷମା ଦିଆଯାଉଛି, ତେବେ ୟାସିନଙ୍କୁ ବି କ୍ଷମା ଦିଆଯାଉ ବୋଲି ମେହବୁବା କହିଥିଲେ।

ସୂଚନା ଥାଉକି, ୟସିନ୍ ମଲ୍ଲିକ ବିରୋଧରେ ଜାମ୍ମୁରେ ଦୁଇଟି ହାଇ-ପ୍ରୋଫାଇଲ୍ ମାମଲା ଚାଲୁଛି । ୧୯୯୦ରେ ସେ ବିଚ୍ଛିନ୍ନବାଦୀ ନେତାଙ୍କ ପ୍ରମୁଖ ଚେହେରା ଥିଲା । ଯୁବପୀଢୀଙ୍କୁ ଧରି ହିଂସା ଉସୁକେଇବା ଭଳି କାର୍ଯ୍ୟ କରୁଥିଲା ବୋଲି ଏନଆଇଏ ରିପୋର୍ଟ ଦେଇଛି । ଫଳରେ କାଶ୍ମୀରରୁ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତ ପଳାୟନ କରିଛନ୍ତି । ୟୁସିନ ମଲ୍ଲିକ ଉପରେ ୧୯୮୯ ଡିସେମ୍ବର ୮ ତାରିଖରୁ ରୁବେୟା ସୈଦ ଅପହରଣ ମାମଲାରେ ଶୁଣାଣି ଚାଲୁଛି । ସେହିପରି ୨୫ ଜାନୁଆରୀ ୧୯୯୦ରେ ୪ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ୟାସିନ୍ ।