କରୋନା ଡର, ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ
5/03/2020 at 4:20 PM

ନୂଆଦିଲ୍ଲୀ ୦୫।୦୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି। ଦେଶରେ ଅଦ୍ୟାବଧି କରୋନା ଭୂତାଣୁରେ ୩୦ ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ଦିଲ୍ଲୀ ସରକାର ମାରାତ୍ମକ କରୋଣା କାରଣରୁ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଦିଲ୍ଲୀ ସରକାରର ଦପ୍ତରରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ। ଅର୍ଥାତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ମାର୍ଚ୍ଚ ୬ ଅର୍ଥାତ ଆସନ୍ତାକାଲିଠୁ ଲାଗୁ ହେବ। ଏଥିରେ ସରକାରୀ, ଘରୋଇ, ଏଟେଡ, ଏନଡିଏମସି ସମସ୍ତ ସ୍କୁଲ ସାମିଲ।
ଏହା ବ୍ୟତୀତ କରୋନାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଆଉ ଏକ ସତର୍କତାମୂଳକ ପଦକ୍ଷେପ ଉଠାଇଛନ୍ତି। ଦିଲ୍ଲୀ ସରକାର ଅସ୍ଥାୟୀ ଭାବେ ନିଜର ଦପ୍ତରରେ ବାୟୋମେଟ୍ରିକ ଉପସ୍ଥାନ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି।