ଶିଖ୍ ବିରୋଧୀ ଦଙ୍ଗା ମାମଲା: ଜଗଦିଶ ଟାଇଟଲରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | August 30, 2024 IST

indiatoday

ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ସାଂସଦ ଜଗଦୀଶ ଟାଇଟଲରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଶୁକ୍ରବାର କୋର୍ଟ ଏହି ମାମଲାର ଶୁଣାଣି କରି ଦଙ୍ଗାରେ ଦିଲ୍ଲୀ ସ୍ଥିତ ପୁଲ ବଙ୍ଗାସ୍ ଅଞ୍ଚଳରେ ଶିଖମାନଙ୍କ ହତ୍ୟା ଘଟଣାରେ ଟାଇଟଲରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାୟ ଶୁଣାଇବା ବେଳେ ଅଦାଲତ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ବିଭାଗ ଅନୁଯାୟୀ ହତ୍ୟା, ଦଙ୍ଗା ଏବଂ ନିର୍ଯ୍ୟାତନା ସମେତ ଏକାଧିକ ଅଭିଯୋଗରେ ଟାଇଟଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ କାରଣ ରହିଛି।

ଏହି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଗତ ବର୍ଷ ଟାଇଟଲରଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଦଙ୍ଗାରେ ଟାଇଟଲର ହିଂସା ଉସ୍‌କାଇବାରୁ ଉତ୍ତର ଦିଲ୍ଲୀର ପୁଲ ବଙ୍ଗାସ୍‌ର ଗୁରୁଦ୍ୱାର ନିକଟରେ ଥିବା ତିନି ଜଣ ଶିଖ୍‌ଙ୍କର ମୃତ୍ୟୁ ହୋଇଥିଲା ବୋଲି ସିବିଆଇ ଦର୍ଶାଇଥିଲା।

ଧାରା ୧୪୩ (ବେଆଇନ ସଭା କରିବା), ୧୪୭ (ଦଙ୍ଗା ଉସ୍‌କାଇବା), ୧୮୮ (ଲୋକସେବକ ଦ୍ୱାରା ଜାରି ନିର୍ଦ୍ଦେଶର ଅବଜ୍ଞା କରିବା), ୧୫୩ଏ (ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା), ୨୯୫ (ପୂଜା ସ୍ଥଳକୁ କ୍ଷତି ପହଞ୍ଚାଇବା ଓ ଅପବିତ୍ର କରିବା),୪୩୬ (ଘର ନଷ୍ଟ କରିବା ଉଦ୍ଦେଶ୍ୟରେ ଅଗ୍ନି କିମ୍ବା ବିସ୍ଫୋରକ ପଦାର୍ଥ ଦ୍ୱାରା ଉତ୍‌ପାତ କରିବା), ୪୫୧ (ଘର ଭିତରେ ଅନଧିକାର ପ୍ରବେଶ), ୩୮୦ (ଘରୁ ଚୋରି), ଏବଂ ଆଇପିସିର ୩୦୨ (ହତ୍ୟା) ଆଦି ଧାରରେ ଜଗଦିଶଙ୍କ ବିରୋଧରେ ମାମାଲ ରୁଜୁ କରିବାକୁ କୋର୍ଟ ଯଥେଷ୍ଟ ପ୍ରମାଣ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କତା ହେଲା ଧାରା ୧୪୮ (ଦଙ୍ଗା, ମାରାତ୍ମକ ଅସ୍ତ୍ରରେ ରଖିବା) ଅନୁଯାୟୀ ଟାଇଟଲରଙ୍କୁ ଅପରାଧରୁ ମୁକ୍ତ କରାଯାଇଥିଲା। 

ମାମଲାରେ ପରିବର୍ତ୍ତି ସୁଣାଣି ସେପ୍ଟେମ୍ବର ୧୩ ତାରିଖରେ ହେବ। ଏହି ଦିନ ଟାଇଟଲରଙ୍କୁ ନିଜେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ଆରମ୍ଭ ହୋଇଥିଲା।ଫଳରେ ସାରା ଭାରତରେ ହଜାର ହଜାର ଶିଖଙ୍କ ମୃତ୍ୟୁ ଘଟିଥିଲା।

ଜଗଦିଶ ଟାଇଟଲରଙ୍କ ବିରୋଧରେ ଲାଗିଥିବା ଅଭିଯୋଗ

ଟାଇଟଲରଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ଚର୍ଜଶିଟ୍ ଅନୁସାରେ, କଂଗ୍ରେସ ନେତା ଦଙ୍ଗାକାରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ଶିଖ୍‌ଙ୍କୁ ଆଟାକ କଲେ ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେ ତାଙ୍କ ନିର୍ବାଚନମଣ୍ଡଳୀରେ ହତ୍ୟାକାଣ୍ଡର ସଂଖ୍ୟାକୁ ଅନ୍ୟ ସ୍ଥାନ ସହିତ ତୁଳନା କରି ତାଙ୍କ ଅନୁଗାମୀମାନଙ୍କୁ ଅଧିକ ଶିଖଙ୍କ ଉପରେ ଆକ୍ରମଣ କରିବାକୁ ଉସ୍‌କାଇଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି।

ଚାର୍ଜଶିଟ୍‌ରେ ଜଣେ ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି ଯ ସେ (ଟାଇଟଲର) କାରରୁ ବାହାରି ଦଙ୍ଗାକାରୀଙ୍କୁ ପ୍ରଥମେ ଶିଖମାନଙ୍କୁ ହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ ଏବଂ ପରେ ସେମାନଙ୍କ ଦୋକାନ ଲୁଟିବାକୁ କହିଥିଲେ। ଇନ୍ଦିରାଙ୍କ ହତ୍ୟା ପରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦୋକାନ ବି ପୋଡ଼ି ଦିଆଯାଇଥିଲା। ଟେଲର ସେତେବେଳେ ସାଂସଦ ଥାଇ ଦିଲ୍ଲୀର ଆଜାଦ ମାର୍କେଟର ଗୁରୁଦ୍ୱାର ପୁଲ ବାଙ୍ଗାଶରେ ହିଂସାକୀରଙ୍କୁ ଉତ୍ସାହିତ କରିଥିଲେ। ହିଂସା ସମୟରେ ସେ ଗୁରୁଦ୍ୱାରା ସମ୍ମୁଖରେ ଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ କହିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.