ନୂଆଦିଲ୍ଲୀ୩୦/୧୧: ବିଷ ବଳୟ ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ । ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ଏତେ ତଳକୁ ଖସିଯାଇଛି ଯେ ବଞ୍ଚିବା ମୁସ୍କିଲହୋଇପଡିଛି । ଏମିତି କି ଏଠି ନିଶ୍ବାସ ନେବା ୧୦ଟା ସିଗାରେଟ ଟାଣିବା ସହ ସମାନ ବୋଲି କୁହାଯାଉଛି । ହେଲେ ଏହି ଦିଲ୍ଲୀରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଛୁଇଁପାରିନି ପ୍ରଦୂଷଣ । ୧୫ ହଜାରରୁ ଅଧିକ ଗଛ ଲଗାଇ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ଦଂପତ୍ତି । ଏବେ ମନକୁ ପ୍ରଶ୍ନ ଆସିବା ସ୍ବାଭାବିକ ଏତେ ବିଷାକ୍ତ ବାୟୁମଣ୍ଡଳରେ ଏମିତି ସୁସ୍ଥ ପରିବେଶ କେମିତି ସମ୍ଭବ ହେଲା ?
ଘରେ ଲାଗିଛି ୧୫ ହଜାରରୁ ଅଧିକ ଗଛ । ଖୁବ ସୁନ୍ଦର ଓ ବୁଦ୍ଧିମତାର ସହ ଗଛ ଗୁଡିକ ଲଗାଯାଇଛି । ସେଥିପାଇଁ କମ୍ ଜାଗାରେ ଅଧିକ ଗଛ ରହିପାରିଛି । ଯାହା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ନେଇଛି । ଦକ୍ଷିଣ ଦିଲ୍ଲୀର ସାଇନିକ ଫାର୍ମ ଅଞ୍ଚଳର ଏ ସ୍ଥାନ । ଏଠି AQI ୧୦ରୁ ୧୫ ଭିତରେ ରହୁଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଦିଲ୍ଲୀ ପରି ବିଷାକ୍ତ ବାୟୁମଣ୍ଡଳରେ ଏମିତି ପରିବେଶ ସୃଷ୍ଟି କରିଛନ୍ତି ଦଂପତ୍ତି ପିଟର ସିଂ ଓ ନିନୋ କୌର । ପିଟର ଓ ନିନୋ ରହୁଥିବା ଘର ମଧ୍ୟ ଅନ୍ୟମାନଙ୍କ ଠାରୁ ଅଲଗା । କାରଣ ଘରେ ପେଣ୍ଟ କିମ୍ବା ପ୍ଲାଷ୍ଟର ଲାଗିନି । ସିମେଣ୍ଟ ବଦଳରେ ଚୁନ ମୋର୍ଟାର ସାହାଯ୍ୟରେ ଇଟାଗୁଡିକ ଯୋଡା ଯାଇଛି । ଏଥିସହ ଆଧୁନିକ ରଙ୍ଗ ବଦଳରେ ଚୁନ ଦିଆଯାଇଛି । ସେହିପରି କଂକ୍ରିଟ ସ୍ଲାବ ଅପେକ୍ଷା ଛାତ ମଧ୍ୟ ପଥର ଟାଇଲରେ ଆଚ୍ଛାଦିତ । ଯାହା ତାପମାତ୍ରାକୁ ନିୟନ୍ତ୍ରଣ କରୁଛି । ଖରା ଦିନ ଘର ଥଣ୍ଡା ରହୁଥିବାବେଳେ ଶୀତଦିନେ ପ୍ରଦୂଷଣ ମୁକ୍ତ ରହୁଛି । ଗଛ ଗୁଡିକ ବି ବେଶ ସୁନ୍ଦର ଭାବରେ ସଜା ଯାଇଛି । କୁଣ୍ଡ ମାଧ୍ୟମରେ ବର୍ଷା ଜଳ ସାଇତି ରଖି ବ୍ୟବହାର କରାଯାଉଛି ।
ସବୁଠୁ ବଡ କଥା ହେଉଛି ପନିପରିବା ପାଇଁ ଦଂପତ୍ତି ବଜାର ଉପରେ ନିର୍ଭର କରନ୍ତି ନାହିଁ । ଏହି ବଗିଚା ହିଁ ଆବଶ୍ୟକତା ମେଣ୍ଟାଇଥାଏ । ପିଟର ଓ ନିନୋ ଏମିତି ପରିବେଶ ସୃଷ୍ଟି କରିବା ପଛରେ କଣ ରହିଛି କାରଣ । ରିପୋର୍ଟ ମୁତାବକ ନିନୋ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିଲେ । କେମୋଥେରାପି ନେଉଥିଲେ ମଧ୍ୟ ତାଙ୍କ ଫୁସଫୁସ ଦୁର୍ବଳ ହୋଇଯାଇଥିଲା । ଆଉ ଡାକ୍ତର ତାଙ୍କୁ ଦିଲ୍ଲୀ ଛାଡି ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଅନ୍ୟ ଜଣେ ଆୟୁର୍ବେଦ ବିଶେଷଜ୍ଞ କହିଥିଲେ ପୁରା ପ୍ରାକୃତିକ ଜୀବନଶୈଳୀ ଗ୍ରହଣ କରିବାକୁ । ପୁଅ ସେମାନଙ୍କ ପାଇଁ ଗୋଆରେ ଘର କିଣିଥିଲେ ମଧ୍ୟ ସେମାନଙ୍କ ମନ ମାନିନଥିଲା । ଦିଲ୍ଲୀ ଫେରିଆସି ଏଠାରେ ରହିବାକୁ ସଂକଳ୍ପ କରିଥିଲେ ଦଂପତ୍ତି । ଆଉ ଏବେ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।