ଦିଲ୍ଲୀରେ ଥାନା ଭିତରେ ପୋଲିସକର୍ମୀଙ୍କୁ ମାଡ, ଭିଡିଓ ଦେଖିଲେ କହିବେ- ଅପରାଧୀଙ୍କୁ ନାହିଁ ପୋଲିସର ଭୟ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଥାନା ଭିତରେ କିଛି ଲୋକଙ୍କ ଦ୍ୱାରା ହେଡ୍ କନଷ୍ଟେବଲଙ୍କୁ ମାଡ ମରାଯିବାର ଚକିତ କଲା ଭଳି ଘଟଣା ସାମନାକୁ ଆସିଛି। ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିଲେ ଯେ କେହି ବି କହିବେ ଯେ, ଅପରାଧୀଙ୍କ ମଧ୍ୟରେ ଦିଲ୍ଲୀ ପୋଲିସର ଭୟ ଶେଷ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, କିଛି ଲୋକେ ଦିଲ୍ଲୀର ଆନନ୍ଦ ବିହାର ଥାନା ଭିତରେ ଜଣେ ହେଡ୍ କନଷ୍ଟେବଲଙ୍କୁ ମାଡ ମାରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ପୋଲିସକର୍ମୀ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ଘଟଣାର ଭିଡିଓ କରୁଥିଲେ । କେହି ମଧ୍ୟ ପୋଲିସକର୍ମୀଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରି ନଥିଲେ। ମାଡ ଖାଉଥିବା ପୋଲିସକର୍ମୀ ଜଣଙ୍କ ନିଜର ଜୀବନ ବଞ୍ଚାଇବା ପାଇଁ ଆକ୍ରମଣକାରୀଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି। କିନ୍ତୁ କେହି ଶୁଣି ନଥିଲେ।  

ଭିଡିଓଟି ଜୁଲାଇ ୩୦ ରାତି ହୋଇଥିବା ଜଣାପଡିଛି। କଡକଡଡୁମା ଗାଁରେ ବଚସା ଯୋଗୁଁ ଦୁଇ ପକ୍ଷ ଥାନାରେ ପହଞ୍ଚିଥିଲେ। ଏହି ସମୟରେ ହେଡ୍ କନଷ୍ଟେବଳ ଗୋଟିଏ ପକ୍ଷର ଯୁବକଙ୍କୁ ଚାପୁଡା ମାରିଥିଲେ, ଏଥିରେ ରାଗିଯାଇ ସେମାନେ ଥାନାରେ ତାଙ୍କୁ ମାଡ ମାରିଥିଲେ।

ମାମଲା ଉପରେ ଡିସିପି କହିଛନ୍ତି, ପୋଲିସ ଆହତ ପୋଲିସକର୍ମୀଙ୍କ ମେଡିକାଲ ଟେଷ୍ଟ କରାଇଥିଲେ ଏବଂ କାଉନସିଲିଙ୍ଗ କରାଇଥିଲେ। ସମସ୍ତ ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.