ଏତେ ସହଜରେ ଦିଲ୍ଲୀ ପହଞ୍ଚି ନାହାନ୍ତି ଚାଷୀ ! ସାଙ୍ଗରେ ଆସିଛନ୍ତି ଡାକ୍ତର, ଟ୍ରାକ୍ଟର ସଜାଡିବାକୁ ଅଛନ୍ତି ମେକାନିକ୍, ବାରିକେଡ ଭାଙ୍ଗିଛନ୍ତି ଇଞ୍ଜିନିୟର

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮।୧୧: ‘ଦିଲ୍ଲୀ ଚଲୋ’ ଆହ୍ୱାନରେ ଆସିଥିବା ଚାଷୀ ଏତେ ସହଜରେ ରାଜଧାନୀ ସୀମାକୁ ପହଞ୍ଚିନାହାନ୍ତି। ସଂଶୋଧିତ କୃଷି ଆଇନ-୨୦୨୦କୁ ବିରୋଧ ଏତେ ସହଜ ନୁହେଁ ଜାଣିଥିଲେ ଚାଷୀ। ଏଣୁ ସଂଘର୍ଷପୂର୍ଣ୍ଣ ଆନ୍ଦୋଳନ ଲାଗି ନିଜକୁ ପ୍ରସ୍ତୁତ କରି ଆସିଥିଲେ।   ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ଓ ରାଜସ୍ଥାନକୁ ଅନେକ ସମୟରୁ ଶୀତ ଋତୁଆଗମନ ହୋଇସାରିଲାଣି। ଏଣୁ ଆନ୍ଦୋଳନକାରୀ ସାଙ୍ଗରେ ମେକାନିକ, ଡାକ୍ତର ଓ ଇଞ୍ଜିନିୟରଙ୍କୁ ବି ନେଇ ଆସିଛନ୍ତି।

{"id":369305,"sizeSlug":"large"}

ଆନ୍ଦୋଳନକୁ ସରକାର ସବୁ ସ୍ତରରେ ସବୁଠାରେ ଦବାଇବାକୁ ଉଦ୍ୟମ କରିବେ ଚାଷୀ ଜାଣି ଥିଲେ। ଏଣୁ ସେହି ଅନୁସାରେ ପ୍ରସ୍ତୁତି କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଗୁଇନ୍ଦା ସୂଚନା ସଂଗ୍ରହ କରି ଚାଷୀ ଆଗକୁ ଅଗ୍ରସର ହୋଇଥିବା ବେଳେ ସାଙ୍ଗରେ ଆଣିଥିବା ଇଞ୍ଜିନିୟରଙ୍କ ଜରିଆରେ ବାରିକେଡ ହଟାଇ ନିଜର ରାସ୍ତା ସଫା କରି ଆସିଛନ୍ତି। ଦିଲ୍ଲୀ ଚୋଲୋ ଆହ୍ୱାନର ଦ୍ୱିତୀୟ ଦିନ ବେଶ ରୋମାଞ୍ଚକର ଥିଲା। ଦିଲ୍ଲୀ ସୀମାକୁ ପହଞ୍ଚିବା ଲାଗି ରାସ୍ତାରେ ଚାଷୀଙ୍କୁ ୮ଟି ବଡବଡ ବାରିକେଡ ପାର ହେବାକୁ ପଡିଥିଲା।

{"id":369317,"sizeSlug":"large"}

ସ୍ଥାନେ ସ୍ଥାନେ ପୋଲିସ ଘେରାବନ୍ଦୀ ଭାଙ୍ଗି ସେମାନଙ୍କୁ ଆଗକୁ ବଢିବାକୁ ପଡିଥିଲା। ଏ ସବୁ ଏତେ ଯୋଜନା ବଦ୍ଧ ଭାବେ ଚାଷୀ କରିଥିଲେ ପ୍ରଶାସନ ବି ତାର ଟେର ପାଇନଥିଲା।  ଚାଷୀଙ୍କ ରାସ୍ତା ଅବରୋଧ କରିବା ଲାଗି ପ୍ରଶାସନ ନିଜେ ରାସ୍ତା ଖୋଳି ବଡବଡ ଗାଡ କରିଥିଲା। ଆନ୍ଦୋଳନକାରୀ ଆଇନ ହାତକୁ ନିଅନ୍ତି, ହେଲେ ସ୍ୱାଧୀନ ଭାରତ ଇତିହାସରେ ଆନ୍ଦୋଳନ ରୋକିବା ଲାଗି ପ୍ରଶାସନ ନିଜେ ରାସ୍ତା ହାଣି ଆଇନ ହାତକୁ ନେଇଥିବା ପ୍ରଥମ ଥର ଦେଖାଯାଇଛି। ହେଲେ ବି ଚାଷୀଙ୍କୁ ରୋକିବାରେ ସଫଳ ହୋଇ ନାହିଁ।

{"id":369307,"sizeSlug":"large"}

ଆନ୍ଦୋଳନକାରୀଙ୍କ ସହ ଏପରି ଯୁବଗୋଷ୍ଠୀ ଚାଲୁଛନ୍ତି ଯେଉଁମାନେ ଟ୍ରାକ୍ଟର ଷ୍ଟଣ୍ଟ କରିବାରେ ଧୁରନ୍ଧର। ସେମାନେ ଏତେ ସହଜରେ ଟ୍ରାକ୍ଟର ଦ୍ୱାରା ବାରିକେଡ ହଟାଇଛନ୍ତି  ପୋଲିସ ଓ ପ୍ରଶାସନ ଆଖି ତରାଟି ଦେଇଛି। ଏଣୁ ପ୍ରଶାସନ ବୋଲ୍ଡର ଓ ଭାରି ଲୁହାରେ ଲଗାଇଥିବା ବାରିକେଡ ହଟାଇ ଚାଷୀ ରାଜଧାନୀ ଆଡକୁ ମୁହାଁଇଥିଲେ। ଚାଷୀଙ୍କୁ ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ। ଲୋକେ ପୋଲିସ ଓ ପ୍ରଶାସନର ପ୍ରସ୍ତୁତି ନେଇ ଆଗୁଆ ସୂଚନା ଦେବା ସହ ସେମାନଙ୍କୁ ପୋଲିସକୁ ବାଇପାସ କରିଯିବାର ରାସ୍ତା ପ୍ରଶସ୍ତ କରି ରଖିଥିଲେ। ଏଣୁ ପୋଲିସ ରାସ୍ତାରେ ବାଡ ଲଗାଇ ବସିଥିବା ବେଳେ ଚାଷୀ ଗାଁ ଓ କ୍ଷେତ ପାର କରି ଆଗରେ ମୁଖ୍ୟ ରାସ୍ତାରେ ପହଞ୍ଚୁଥିଲେ।

{"id":369310,"sizeSlug":"large"}

ସମାଲଖା ନିକଟରେ ସନ୍ଥ ନିରଙ୍କାରୀ ଆଶ୍ରମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କ ଲାଗି ଆଶ୍ରମ ନିଜ ଖେତରେ ବାଟ ଖୋଲିଦେଇଥିଲା। ଫଳରେ ଚାଷୀ ନିରଙ୍କାରୀ ଆଶ୍ରମ ରାସ୍ତାରେ ସିଧା ଜାତୀୟ ରାଜମାର୍ଗକୁ ବାହାରିଥିଲେ। ପୁରା ରାସ୍ତାରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ନିର୍ଯାତନା କମ୍ ନଥିଲା। ହେଲେ ଚାଷୀ ପୁରା ପ୍ରସ୍ତୁତିରେ ଆସିବା ଯୋଗୁ ପ୍ରଶାସନ ଅଥବା ପୋଲିସ ସେମାନଙ୍କୁ ରୋକି ପାରିଲେ ନାହିଁ। ଆନ୍ଦୋଳନକାରୀ ଚାଷୀ ସାଙ୍ଗରେ ମେକାନିକ, ଇଞ୍ଜିନିୟର ଓ ଡାକ୍ତରମାନଙ୍କୁ ସାଙ୍ଗରେ ନେଇ ଆସିଛନ୍ତି। ଏଣୁ ହେଲଥ ଏମାର୍ଜେନ୍ସୀ ହେଉ ଅଥବା ଟ୍ରାକ୍ଟରରେ ଯାନ୍ତ୍ରିକ ତ୍ରୁଟି ସବୁ ନିଜେ ସମ୍ଭାଳି ନେଇଛନ୍ତି ଚାଷୀ।

{"id":369315,"sizeSlug":"large"}

ଆମ ଆଦମୀ ପାର୍ଟି ସାଂସଦ ଡାକ୍ତର ଧରମବୀର ମଧ୍ୟ ଚାଷୀଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଛନ୍ତି। କାନ୍ଧରେ ଷ୍ଟୋଥୋ ଓ ପକେଟରେ କିଛି ଜରୁରି ଔଷଧ ରଖି ଚାଷୀଙ୍କ ସହ ଦିଲ୍ଲୀ ଆସିଛନ୍ତି। କରୋନା କାଳରେ ଏତେବଡ ଆନ୍ଦୋଳନ କଣ ଯୁକ୍ତିଯୁକ୍ତ ବୋଲି ଡାକ୍ତର ଧରମବୀରଙ୍କୁ ପଚରା ଯିବାରେ ସେ ଯାହା କହିଛନ୍ତି ତାହା ବାସ୍ତବିକ ବିଚାରଯୋଗ୍ୟ। ଯେଉଁ ପର୍ଯ୍ୟନ୍ତ ଟିଣରେ ଅଟା ଅଛି ଓ ଘରକୁ ବେତନ ଅଥବା ପେନସନ ଆସୁଛି ସେ ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା ଡର ରହିବା ନିଶ୍ଚିତ। ହେଲେ ପକେଟରୁ ପଇସା ସରିଗଲେ ଟିଣରୁ ଅଟା ସରିଗଲେ କରୋନା ଭୟ ମଧ୍ୟ ଉଭେଇ ଯାଏ ବୋଲି କହିଛନ୍ତି ଡାକ୍ତର।

{"id":369318,"sizeSlug":"large"}

ଏହା ଛଡା ଆନ୍ଦୋଳନକାଳରେ କରୋନା ଲାଗି ଯେଉଁ ସବୁ ସତର୍କତା ଦରକାର ତାହା ଆମେ ପାଳନ କରୁଥିବା ସେ କହିଛନ୍ତି । ସମସ୍ତେ ମୁହଁରେ ମାସ୍କ ଲଗାଇଥିବା ବେଳେ ବାରମ୍ବାର ହାତ ଧୋଇବା ଓ ପରସ୍ପର ଦୂରତା ରଖି ରହିବା କଡାକଡି କରାଯାଇଛି ବୋଲି କହିଛନ୍ତି। ଜାବତୀୟ ନିର୍ଯାତନା ସତ୍ତ୍ୱେ ଚାଷୀ ଏବେ ଦିଲ୍ଲୀ ପହଞ୍ଚି ସାରିଛନ୍ତି। ସରକାର ପ୍ରଥମେ ପ୍ରବେଶ ଅନୁମତି ଦେଉ ନଥିଲେ। ଏବେ ପ୍ରବେଶ କରିପାରିବେ ବୋଲି କହୁଥିବା ବେଳେ ବିଭିନ୍ନ ସର୍ତ୍ତ ରଖୁଛନ୍ତି।

{"id":369311,"sizeSlug":"large"}

ତେବେ ଦିଲ୍ଲୀ ଚଲୋ ଅଭିଯାନର ଉଦ୍ଦେଶ୍ୟ ପୂରଣ ହୋଇସାରିଥିବା ଚାଷୀ କହିଛନ୍ତି। ଆଉ ସରକାର ଅନୁମତି ଦିଅନ୍ତୁ କି ନ ଦିଅନ୍ତୁ ଆମେ ଏଠୁ ଅନ୍ୟ କେଉଁଠିକୁ ଯିବୁ ନାହିଁ ବୋଲି କହିଛନ୍ତି। ଏଠାରେ ବସି ସରକାରଙ୍କଠାରୁ ଦାବି ପୂରଣ କରିକି ଫେରିବୁ ବୋଲି କହିଛନ୍ତି। ଚାଷୀ ସରକାରଙ୍କ ଗୋଲାମ ନୁହନ୍ତି। ଚାଷୀଙ୍କ କଥା ନ ଶୁଣିବାରୁ ଚାଷୀ ତାଙ୍କ ଦ୍ୱାରକୁ ଆସିଛନ୍ତି। ଏବେ ଶୁଣିବେନି ଯିବେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.