ମହାମାରୀ ମୁକାବିଲା ଉପରୁ ନିୟନ୍ତ୍ରଣ ହରାଉଛି ଆପ୍ ସରକାର, ଖୁବଶୀଘ୍ର ଦିଲ୍ଲୀ ହୋଇପାରେ ‘କରୋନା କ୍ୟାପିଟାଲ୍’- ହାଇକୋର୍ଟ
5/11/2020 at 5:48 PM

ନୂଆଦିଲ୍ଲୀ ୫/୧୧: ଦେଶରେ କରୋନା ସଂକ୍ରମଣ ନିମ୍ନଗାମୀ ହେଉଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ସଂକ୍ରମଣ ଗ୍ରାଫ ପୁଣିଥରେ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଦେଶର ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହାସହ ଦିଲ୍ଲୀ ଖୁବଶୀଘ୍ର ‘କରୋନା କ୍ୟାପିଟାଲ୍’ ହେବାକୁ ଯାଉଛି ବୋଲି ହାଇକୋର୍ଟ କହିଛନ୍ତି।
କରୋନା ମହାମାରୀ ଉପରେ ଦିଲ୍ଲୀ ସରକାର ନିୟନ୍ତ୍ରଣ ହରାଉଛନ୍ତି ବୋଲି ଜଷ୍ଟିସ୍ ହିମା କୋହଲି ଓ ଶୁବ୍ରମୋନିୟମ ପ୍ରସାଦଙ୍କ ଖଣ୍ଡପୀଠ କହିଛନ୍ତି। ଏହାସହ ନାଗରିକଙ୍କ ସ୍ବାସ୍ଥ୍ୟକୁ ନେଇ ଆପ ସରକାର ଖେଳ ଖେଳୁଥିବା କହିଛନ୍ତି ଖଣ୍ଡପୀଠ। ଦିଲ୍ଲୀ ସରକାର ସବୁବେଳେ ଅଧିକ ଟେଷ୍ଟିଂ କରୁଥିବା ନେଇ ଦାବି କରୁଥିଲେ ହେଁ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଥିବା ହାଇକୋର୍ଟ କହିଛନ୍ତି।
ଉତ୍ତର ଦିଲ୍ଲୀର ମହାନଗର ନିଗମ ଅଧିନରେ କାର୍ଯ୍ୟରତ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍, ସଫେଇ କର୍ମଚାରୀ, ଶିକ୍ଷକ ଓ ସେବାନିବୃତ୍ତ ଇଞ୍ଜିନିୟରଙ୍କୁ ବେତନ ମିଳୁନଥିବା ନେଇ ଯାଚିକା ଉପରେ ଶୁଣାଣି କରିଥିଲେ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ। ଏହି ସମୟରେ ଦେଶର ରାଜଧାନୀ ଖୁବଶୀଘ୍ର ‘କରୋନା କ୍ୟାପିଟାଲ୍’ ହୋଇପାରେ। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଧନ୍ୟବାଦ। କିନ୍ତୁ ଆମେ ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଉଛୁ ବୋଲି କହିଛନ୍ତି ଜଷ୍ଟିସ୍ ହିମା କୋହଲି ଓ ଶୁବ୍ରମୋନିୟମ ପ୍ରସାଦଙ୍କ ଖଣ୍ଡପୀଠ।