ମୋଦୀଙ୍କ ବିଷୟରେ ପାକିସ୍ତାନ ମନ୍ତ୍ରୀଙ୍କ ବିବାଦୀୟ ବୟାନ ବିରୋଧରେ ପାକ୍ ଦୂତାବାସ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ
16/12/2022 at 4:34 PM

ନୂଆଦିଲ୍ଲୀ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ତାତିଲା ବିଜେପି। ଭାରତରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ।
ଆଜି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ମୋଦୀ ଗୁଜୁରାଟର କଂସେଇ ବୋଲି କହିଥିଲେ ବିଲାୱଲ। ଯାହାକୁ ଭାରତରେ ଜୋର୍ଦାର ବିରୋଧ ହୋଇଛି। ଦିଲ୍ଲୀ ବିଜେପି କର୍ମୀମାନେ ପ୍ଲାକାର୍ଡ ଧରି ଦିଲ୍ଲୀ ସ୍ଥିତି ପାକିସ୍ତାନର ଦୂତାବାସ ସମ୍ମୁଖରେ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି। ପାକିସ୍ତାନ ହାଏ ହାଏ, ବିଲାୱଲ ଭୁଟ୍ଟୋ କ୍ଷମା ମାଗ ବୋଲି ନାରା ଲଗାଇଛନ୍ତି।
ଭିଡ଼ ହଟାଇବା ପରେ ଦିଲ୍ଲୀ ପୁଲିସ ବ୍ୟାରିକେଡ୍ ଲଗାଇ ବିକ୍ଷୋଭକାରୀଙ୍କୁ ରୋକିବାକୁ ଚେଷ୍ଟା କରିଛି। ହେଲେ ବିକ୍ଷୋଭକାରୀମାନେ ପୁଲିସର ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ପାକ ଦୂତାବାସ ଆଡ଼କୁ ମୁହାଁଇଛନ୍ତି। ଏହାପରେ ପୁଲିସ ଚାଣକ୍ୟୁପୁରୀରେ ଦ୍ୱିତୀୟ ବ୍ୟାରିକେଡ୍ ଲଗାଇ ଆନ୍ଦୋଳନକାରୀମାନଙ୍କୁ ରୋକିବାକୁ ଚେଷ୍ଟା କରିଛି। କେବଳ ସେତିକି ନୁହେଁ ପାଣିମାଡ଼ କରି ସେମାନଙ୍କୁ ହଟାଇକାକୁ ଚେଷ୍ଟା କରିଛି। କିଛି ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଛି।
ଜାତିସଂଘରେ ଭାରତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓସାମା ବିନ୍ ଲାଡେନକୁ ନେଇ ପାକିସ୍ତାନକୁ ସମାଲୋଚନା କରିଥିଲେ। ପାକିସ୍ତାନରେ ହିଂ ଲାଡେନକୁ ମରାଯାଇଥିଲା ବୋଲି କହିଥିଲେ। ଏହାର ଉତ୍ତର ରଖି ଭୁଟ୍ଟୋ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ।
ସେ କହିଥିଲେ “ ମୁଁ ଭାରତକୁ କହିବାକୁ ଚାହୁଁଛି ଯେ ଓସାମା ବିନ୍ ଲାଡେନ ମରିସାରିଛି। କିନ୍ତୁ ଗୁଜୁରାଟର କଂସେଇ ଏବେ ବି ଜୀବିତ ଅଛି। ଏବଂ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ।। ସେ(ମୋଦୀ) ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏହି ଦେଶରେ ପ୍ରବେଶ ବାରଣ କରାଯାଇଥିଲା। ଇଏ ଆର୍ଏସ୍ଏସ୍ର ପ୍ରଧାନମନ୍ତ୍ରୀ ଓ ଆର୍ଏସ୍ଏସ୍ର ବିଦେଶ ମନ୍ତ୍ରୀ। ଆର୍ଏସ୍ଏସ୍ କଣ ? ଆର୍ଏସ୍ଏସ୍ ହିଟ୍ଲରଙ୍କ ଠାରୁ ପ୍ରେରଣା ନେଇଛି।”