Delhi assembly poll 2020: ରାତି ପାହିଲେ ଭୋଟଗଣନା, ଜାଣନ୍ତୁ ପୁରା କାର୍ଯ୍ୟକ୍ରମ
10/02/2020 at 10:07 PM

ନୂଆଦିଲ୍ଲୀ ୧୦।୨: ଏବେ ଅପେକ୍ଷା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ। ମଙ୍ଗଳବାର ଫେବୃଆରୀ ୧୧ ତାରିଖ ସକାଳ ୮ଟା ବେଳକୁ ଆରମ୍ଭ ହେବ ଭୋଟ ଗଣନା । ଇଭିଏମ ଖୋଲିବା ସହ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ୬୭୨ ପ୍ରାର୍ଥୀଙ୍କ ଜଣାପଡିବ ଭାଗ୍ୟଫଳ। ଏଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜାତୀୟ ରାଜଧାନୀରେ ସ୍ଥାପିତ ହୋଇଛି ୨୧ଟି ଭୋଟ ଗଣନା କେନ୍ଦ୍ର।
ଭୋଟ ଗଣନା ଆରମ୍ଭ ହେବା ପରେ ପରେ ନିର୍ବାଚନର ଫଳାଫଳ ବି ଆସିବାକୁ ଲାଗିବ। ବିଭିନ୍ନ ୱେବ୍ ସାଇଟ୍ ଓ ନ୍ୟୁଜ ଚାନେଲ ମତଗଣନାର ଫଳାଫଳ ପ୍ରସାରଣ କରିବେ। ନିର୍ବାଚନ ଆୟୋଗଙ୍କ ୱେବ୍ ସାଇଟ୍ରେ ବି ଫଳାଫଳ ଜାରି କରାଯିବ। ତେବେ ଭୋଟଗଣନାରେ ଇଭିଏମ ଭୋଟ ପୂର୍ବରୁ ପ୍ରଥମେ ବାଲଟ ପେପର ଭୋଟ ଗଣନା କରାଯିବ ବୋଲି ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ଗତ ଫେବୃଆରୀ ୮ ତାରିଖ ଦିନ ହୋଇଥିବା ମତଦାନରେ ଦିଲ୍ଲୀର ୬୨.୫୯ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ବଲ୍ଲିମାରନ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୧.୩୧ ପ୍ରତିଶତ ମତଦାନ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ରବିବାର ଏହି ସୂଚନା ଦେଇଥିଲେ। ଭୋଟଗ୍ରହଣ ପରେ ପରେ ପ୍ରମୁଖ ସମାଚାର ଚାନେଲମାନେ ସେମାନଙ୍କ ଏଗଜିଟ୍ ପୋଲ ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିରେ ଶାସକ ଆମ ଆଦମୀ ପାର୍ଟି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଇଛି। ଏଥର ମଧ୍ୟ ବିଜେପି ଦ୍ୱିତୀୟ ସ୍ଥାନରେ ଆସୁଥିବା ବେଳେ କଂଗ୍ରେସକୁ ଆସନ ମିଳିବା ନ ମିଳିବା ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ।