ତମାଖୁ ମୁକ୍ତ ଅଞ୍ଚଳ ଘୋଷଣା ହେଲା ଦିଲ୍ଲୀ ଏମ୍ସ; ହସ୍‌ପିଟାଲ୍‌ ପରିସରରେ ନିଶା ଖାଉଥିବାର ଧରାପଡ଼ିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ହସ୍‌ପିଟାଲକୁ ତମ୍ବାଖୁ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଅର୍ଥାତ୍ ହସ୍‌ପିଟାଲ୍‌ ପରିସରରେ  କୌଣସି ତମ୍ବାଖୁଜାତ ସାମଗ୍ରୀ ବ୍ୟବହାର କରାଯାଇପାରିବ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶନାମା ବି ଜାରି କରାଯାଇଛି। ଯିଏ ହସ୍‌ପିଟାଲ୍‌ ପରିସରର ତମ୍ବାଖୁ ଖାଉଥିବାର ଧରାପଡ଼ିବେ ତାଙ୍କ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଏମ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ହସ୍‌ପିଟାଲ୍ କର୍ମଚାରୀ ଓ ସମସ୍ତ ଡାକ୍ତରମାନଙ୍କୁ ଅବଗତ କରିଦିଆଯାଇଛି।

ଏମ୍ସ ନିର୍ଦ୍ଦେଶକ ଡା. ଏମ୍ ଶ୍ରୀନିବାସଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ହସ୍‌ପିଟାଲ ପରିସରରେ ଯଦି କୌଣସି ଠିକା କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ସିଗାରେଟ୍ ବିଡ଼ି ପିଉଥିବାର କିମ୍ବା କୌଣସି ତମ୍ବାଖୁ ସାମଗ୍ରୀ ଖାଉଥିବାର ଧରାପଡନ୍ତି ତେବେ ତାଙ୍କୁ ଚାକିରିରୁ ବିଦା କରାଯିବ। ସେହିପରି ଯଦି କୌଣସି ସ୍ଥାୟୀ କର୍ମଚାରୀ ଏପରି କରିବାର ଧରାପଡ଼ନ୍ତି ତେବେ ସେମାନଙ୍କ ବିରୋଧରେ ଏକ ବିଜ୍ଞପ୍ତି ଜାରି କରି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ଏହା ବାଦ୍ ହସ୍‌ପିଟାଲକୁ ଆସୁଥିବା ରୋଗୀ ଓ ଆଗନ୍ତୁକଙ୍କ ପାଇଁ ମଧ୍ୟ ଦଣ୍ଡବିଧାନ ରହିଛି। ଏମ୍ସ ପରିସରରେ ଧୂମପାନ କିମ୍ବା ତମ୍ବାଖୁ ଛେପ ପକାଇଲେ ରୋଗୀ ସମେତ ସାଧାରଣ ଲୋକଙ୍କୁ ୨୦୦ ଟଙ୍କା ଫାଇନ୍ କରାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.