ଦିଲ୍ଲୀରେ କରୋନା ପ୍ରକୋପ, ଗୋଟିଏ ବିଲ୍ଡିଂରୁ ଚିହ୍ନଟ ହେଲେ ୪୧ କରୋନା ରୋଗୀ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୨।୦୫: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଏହି କ୍ରମରେ ଶନିବାର ଦିଲ୍ଲୀର କାପସହେଡାରେ ଗୋଟିଏ ବିଲ୍ଡିଂରୁ ଏକା ସଙ୍ଗେ ୪୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବିଲ୍ଡିଂରେ ଏପ୍ରିଲ ୧୮ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଜନ ବହୁଳପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ଏପ୍ରିଲ ୧୯ରୁ ଏହି ଇଲାକାକୁ ସିଲ୍ କରିବାକୁ ଆଦେଶ ଦେଇଥିଲେ।

ଏହା ପରେ ଏଠାରୁ ୯୫ ଲୋକଙ୍କ ନମୂନା ଏପ୍ରିଲ ୨୦ରେ ଏବଂ ୮୦ ନମୂନା ଏପ୍ରିଲ ୨୧ରେ ଯାଞ୍ଚ ପାଇଁ ନିଆଯାଇଥିଲା। ଏହି ନମୂନା ନୋଏଡା ଏନଆଇବିକୁ ପଠାଯାଇଥିଲା। ମୋଟ୍ ୧୭୫ ଜଣଙ୍କ ନମୂନା ମଧ୍ୟରୁ ୬୭ ଜଣଙ୍କ ରିପୋର୍ଟ ଆଜି ଆସିଛି। ସେଥିରୁ ୪୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏତିକି ରିପୋର୍ଟ ଆସିବାକୁ ୧୦ ରୁ ୧୧ ଦିନ ସମୟ ଲାଗିଛି। ପୁଣି ଆହୁରି ୧୦୮ ରିପୋର୍ଟ ଆସିବା ବାକି ରହିଛି।

ଟେଷ୍ଟ ରିପୋର୍ଟରେ ବିଳମ୍ବ ହେବାର କାରଣ ଏନଆଇବି ଲ୍ୟାବ୍‌କୁ ଅଧିକ ସଂଖ୍ୟାରେ ନମୂନା ଆସୁଛି। ସାଉଥ ଓ୍ଵେଷ୍ଟ ଜିଲ୍ଲାପାଳ କାର୍ଯ୍ୟାଳୟ ଅନୁଯାୟୀ ଏପ୍ରିଲ ୨୫ ପରେ ସାଉଥ ଓ୍ଵେଷ୍ଟ ଜିଲ୍ଲା ପକ୍ଷରୁ ନୋଏଡା ଲ୍ୟାବ୍‌କୁ କୌଣସି ନମୂନା ପଠାଯାଇ ନାହିଁ। ସବୁ ନମୂନା ଏନଆଇବି ଲ୍ୟାବ୍‌କୁ ପଠାଯାଉଛି। ତେଣୁ ରିପୋର୍ଟ ଆସିବାରେ ବିଳମ୍ବ ଘଟୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.