ଶ୍ରୀମନ୍ଦିର ସୁରକ୍ଷା ସହ ଆଉ କେତେ ଦିନ ଚାଲିବ ଏମିତି ? ଉତ୍ତର ପାର୍ଶ୍ୱ କାନ୍ଥ ଓ ନାଟ ମଣ୍ଡପ ଛାତରୁ ପାଣି ଝରୁଛି, ମରାମତି ବନ୍ଦ

Published By : Prameya-News7 Bureau | May 26, 2020 IST

ପୁରୀ ୨୬।୦୫: ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱ କାନ୍ଥରୁ ପାଣି ଝରୁଛି । ଗାରଦ ପାଖ ନାଟମଣ୍ଡପ ଛାତରୁ ପାଣି ଝରୁଛି । ଏହା କାନ୍ଥର ପ୍ରଥର ଯୋଡ଼େଇକୁ ଦୁର୍ବଳ କରିବା ଆଶଙ୍କା ଦେଖାଦେଇଛି । ଛାତ ଚାଳିରୁ ଚୂନ ଛଡ଼ା ଯିବା ପରେ ୱାଟର ପ୍ରୁଫ୍‌ ଚାଦର ବିଛା ଯାଇନଥିବାରୁ ପାଣି ଗଳୁଥିବା ବିଷୟ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କୋର କମିଟିର ବୈଷୟିକ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେହିଭଳି ଶ୍ରୀମନ୍ଦିର ଭିତର ବେଢ଼ାସ୍ଥିତ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଜଗମୋହନ ଏବଂ ନାଟମଣ୍ଡପକୁ ଯୋଡୁଥିବା ପ୍ରବେଶ ପଥ ଉପରୁ ଦୁଇଟି ବିମ୍‌ ଝୁଲିରହିଛି । ଏହାର ମରାମତି କରୋନା କଟକଣା ଯୋଗୁ ହୋଇ ପାରି ନଥିବା ସୂଚନା ମିଳିଛି ।

ହାଇକୋର୍ଟରେ ଶ୍ରୀମନ୍ଦିର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନେଇ ରୁଜୁ ହୋଇଥିବା ମାମଲାରେ ଅଦାଲତ ମେ’ ୫ ତାରିଖ ସୁଦ୍ଧା ରିପୋର୍ଟ ମାଗିଥିଲେ । ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଓ ସୁରକ୍ଷା କ୍ଷେତ୍ରରେ କଣ ସବୁ ପଦକ୍ଷେପ ନିଆଯାଇଛି ତାହାର ରିପୋର୍ଟ ଦେବାକୁ ଅଦାଲତ ଆଦେଶ ଦେଇଥିଲେ । କିନ୍ତୁ ନାଟମଣ୍ଡପ ଛାତ ଉପରୁ ଚୂନ ଛଡ଼ାଇବା ପରେ ପରେ କୋଭିଡ୍‌ କଟକଣା ଏବଂ ଲକ୍‌ଡାଉନ୍‌ ଲାଗୁ ହେବା କାରଣରୁ କୋର୍ଟ ଆଦେଶ ମୁତାବକ କାମ ହୋଇ ପାରିନାହିଁ । ତେଣୁ ହାଇକୋର୍ଟରେ କୌଣସି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଦାଖଲ ହୋଇ ପାରିନାହିଁ ।

ମରାମତି ବିଳମ୍ବ ସମ୍ପର୍କରେ ସଫେଇ ମିଳିଛି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ କରୋନା ଲକ୍‌ ଡାଉନ୍‌ ପ୍ରତିବନ୍ଧକ ସୃଷ୍ଟି କରିଛି। ନାଟମଣ୍ଡପ ଛାତ ମରାମତି ସରିନାହିଁ । ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ବାମ ପାର୍ଶ୍ୱ ବିମ ଉପରେ ଉପୁଜିଥିବା ଫାଟର ମରାମତି ହୋଇନି । ଦୁର୍ବଳ ଛାତରୁ ବର୍ଷା ହେଲେ ପାଣି ଝରୁଥିଲା । ଛାତର ସ୍ଥିତି ଯାଞ୍ଚ ପାଇଁ କୋର କମିଟି ନିଷ୍ପତ୍ତି ନେଇଥିଲା । ଛାତରୁ ଚୂନ ଛଡ଼ାଇବା ବେଳେ ଜଣାପଡ଼ିଥିଲା ଛାତର ଅନେକ ପଥର ନଷ୍ଟ ହୋଇଯାଇଛି । ତେଣୁ ପାଖାପାଖି ୪୦୦ ବର୍ଗ ଫୁଟର ନାଟମଣ୍ଡପ ଛାତ ଉପରୁ ଚୂନ ଛଡା ଯାଇ ମରାମତି ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୫ ତାରିଖ ପରେ କାମ ଅଟକି ରହିଥିଲା ।

ବର୍ତ୍ତମାନର ସ୍ଥିତି ହେଉଛି ଲକ୍‌ଡାଉନ କାରଣରୁ ଛାତ ଉପରେ ୱାଟର ପ୍ରୁଫ୍‌ ଚାଦର ବିଛାଇବା କାମ ଅସମ୍ପୂର୍ଣ୍ଣ ରହିଛି । ଚାଦର ବିଛାଇବାକୁ ଛାତ ଉପରୁ ଚୂନ ଛଡା ଯିବା ପରେ ଖୋଲାମେଲା ରହିଛି । ଏହି ସମୟରେ କରୋନା ଲକ୍‌ଡାଉନ ଲାଗୁ ହୋଇଥିଲା । କାମ ଅସମ୍ପୂର୍ଣ୍ଣ ରହିଗଲା । ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହେଲା । ତଦ୍ୱାରା ସମସ୍ତ ରକ୍ଷଣାବେକ୍ଷଣ କାମ ଅଟକି ରହିଥିଲା ।

ଗତ ସପ୍ତାହର ଅମ୍‌ପନ୍‌ ବାତ୍ୟା ବେଳେ ଶ୍ରୀମନ୍ଦିର ନାଟମଣ୍ଡପ ଉତ୍ତର ପାଖ ଗାରଦ ପାଖ ପ୍ରବେଶ ଦ୍ୱାର କାନ୍ଥରୁ ପାଣି ଝରିଥିଲା । ଛାତ ଚାଳିରୁ ଚୂନ ଛଡ଼ାଯିବା ପରେ ମରାମତି ହୋଇ ନଥିବାରୁ ପାଣି ଗଳିଥିବା ନେଇ ଗତକାଲି କୋର କମିଟିର ଜଣେ ବରିଷ୍ଠ ସଦସ୍ୟ ଯାଞ୍ଚ କରିବା ପରେ ମତ ଦେଇଛନ୍ତି । ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ କଟକଣା ସତ୍ତେ୍ୱ ଏବେ ଜିଲ୍ଲା ପ୍ରଶାସନ ସୀମିତ ୧୫ କର୍ମଚାରୀଙ୍କୁ ନେଇ ମରାମତି ଓ ରକ୍ଷଣାବେକ୍ଷଣ କାମ କରିବକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଅନୁମତି ଦେଇଛି । ଏହା ପରେ ମରାମତି ପ୍ରସ୍ତୁତି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.