ଭଦ୍ରକ,୨୧/୦୨: ଭଡା ଘରେ ଚାଲିଥିଲା ଦେହ ବ୍ୟବସାୟ । ପୋଲିସ ଭୟରେ କିଛି ଦିନ ଅନ୍ତରରେ ଘର ବଦଳାଇ ଏହି ବେପାର ଚଳାଇଥିଲେ ଜନୈକା ମହିଳା । କିନ୍ତୁ ଶେଷରେ ସେ ପୋଲିସ ହାତରେ ଧରା ପଡିଛନ୍ତି । ରାଣୀ ମହୁମାଛି ପୂର୍ବରୁ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।
କୁହାଯାଉଛି ଯେ, ରାଣୀ ମହୁମାଛି ଜଣକ ଜନୈକ ଚାକିରୀ ଛାଡିଥିବା ମହିଳା ହୋମଗାର୍ଡ । ସୂଚନା ଅନୁସାରେ, ଦେହ ବ୍ୟବସାୟ ଚାଲିଥିବା ଏକ ଘରେ ଚଢଉ କରିଥିଲା ଭଦ୍ରକ ଟାଉନ ପୋଲିସ । ସହରର ଡଗମୁଣ୍ଡ ନିକଟ ଏକ ଭଡା ଘରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସକୁ ଖବର ମିଳିବା ପରେ ଏହି ଚଢଉ ହୋଇଥିଲା । ପୋଲିସକୁ ଦେଖି ରାଣୀ ମହୁମାଛି କୁହାଯାଉଥିବା ପୂର୍ବତନ ମହିଳା ହୋମଗାର୍ଡ ଘର ଭିତର ପାଖରୁ ତାଲା ପକାଇ ଦେଇଥିଲେ । ପରେ ଦୀର୍ଘ ସମୟ ଅପେକ୍ଷା ପରେ ଘର ଭିତରେ ପଶିଥିଲା ପୋଲିସ ।
ଚଢ଼ଉ ବେଳେ ଘର ଭିତରେ ଥିବା ୩ ମହିଳା ଓ ୨ ଜଣ ପୁରୁଷଙ୍କୁ ନିଜ ହେପାଜତକୁ ନେଇଥିଲା ପୋଲିସ । କିନ୍ତୁ ଦେହ ବ୍ୟବସାୟ ର ମୁଖ୍ୟ କୁହାଯାଉଥିବା ମହିଳାଙ୍କର ଛୋଟ ଶିଶୁ ଥିବାରୁ ତାଙ୍କୁ ଛାଡିଥିଲା । ତେବେ ପରେ ପୁଣି ତାଙ୍କୁ ଟାଉନ ପୋଲିସ ଉଦ୍ଧାର କରିଛି । ଏକ ମାମଲା ରୁଜୁ କରି ୨ ଜଣ ଯୁବକଙ୍କୁ ଟାଉନ ପୋଲିସ ଗିରଫ କରିଥିବା ବେଳେ, ୪ ଜଣ ମହିଳାଙ୍କୁ ଉଦ୍ଧାର କରି ଅଟକ ରଖିଥିବା ସୂଚନା ମିଳିଛି ।