ଭାରତର ପରବର୍ତ୍ତୀ ଟାର୍ଗେଟ ପାକ୍‌ ଅଧିକୃତ କାଶ୍ମୀର ବୋଲି କହିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

Published By : Prameya-News7 Bureau | August 18, 2019 IST

କାଲକା୧୮|୮: ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ପାକିସ୍ତାନକୁ ଏକ ବଡ ଚେତାବନୀ ଦେଇଛନ୍ତି । ରାଜନାଥ କହିଛନ୍ତି ଯେ, ପରବର୍ତ୍ତୀ ପଦକ୍ଷେପ ହେଉଛି ପାକ ଅଧୀକୃତ କାଶ୍ମୀର । ଭାରତ ବିରୋଧରେ ପାକିସ୍ତାନ ଯଦି ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରେ ତାହେଲେ ଯାଇ ପାକିସ୍ତାନ ଭାରତ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ଚାହିଁଭ । ତେବେ ଏହି ଆଲୋଚନା ଆଉ କାଶ୍ମୀରକୁ ନେଇ ନୁହେଁ ବରଂ ପାକ-ଅଧିକୃତ କାଶ୍ମୀରକୁ ନେଇ ହେବ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି । ପାକି ଅଧିକୃତ କାଶ୍ମୀରକୁ ରାଜନାଥ ଗୁଲାମ କାଶ୍ମୀର ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ପାକିସ୍ତାନ ଯଦି ନିଜ ଆଡୁ ଆତଙ୍କିବାଦୀ କର୍ଯ୍ୟକଳାପରୁ ନିବୃତ୍ତ ନରହେ ତାହେଲେ ଭାରତ ଜାଣିଛି ଏହି ସମସ୍ୟା ସହ କିପରି ମୁକାବିଲା କରିବାକୁ ହୁଏ ବୋଲି ମଧ୍ୟ ରାଜନାଥ କହିଛନ୍ତି ।

ରାଜନାଥ ସିଂ କହିଛନ୍ତି ଯେ, କିଛିଦିନ ତଳେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ, ଭାରତ ବାଲାକୋଟ ଏୟାରଷ୍ଟ୍ରାଇକଠାରୁ ଆହୁରି ବଡଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ଗୁଇନ୍ଦା ତଥ୍ୟ ତାଙ୍କ ନିକଟରେ ରହିଛି । ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିକୁ ଉଦ୍ଧାର କରି ରାଜନାଥ କହିଛନ୍ତି ଯେ, ଏଭଳି ଉକ୍ତିର ଅର୍ଥ ହେଲା ଭାରତ ବାଲାକୋଟ ଉପରେ ମଧ୍ୟ ବଡଧରଣର ଏୟାର ଷ୍ଟ୍ରାଇକ କରିଛି ବୋଲି ପାକିସ୍ତାନ ଏବେ ସ୍ବୀକାର କରୁଛି ।

ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପଛରେ ଏକ ମାତ୍ର ଉଦ୍ଦେଶ୍ୟ ହେଉଛି ଜାମ୍ମୁ-କାଶ୍ମୀରର ବିକାଶ କରିବା । ଏହାକୁ ନେଇ ପାକିସ୍ତାନ ସମଗ୍ର ଦୁନିଆର କବାଟ ବାଡେଇ କହୁଛି ଯେ, ଭାରତ ଭୂଲ ପଦକ୍ଷେପ ନେଉଛି । କିନ୍ତୁ ଏଥିରେ ଭୁଲ କେଉଁଠି ରହିଲା ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି । ରାଜନାଥ ଏହା ମଧ୍ୟ କହିଛନ୍ତି ଯେ, ପାରସ୍ପରିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ପାକିସ୍ତାନ ସହ କଥା ବାର୍ତ୍ତା କରାଯାଇପାରେ । ତେବେ ଏଥିପାଇଁ ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେବାକୁ ପଡିବ । ତେବେ ଆଗକୁ ଯଦି ଦୁଇଦେଶ ଭିତରେ କଥାବାର୍ତ୍ତା ହେବ ତାହା କେବଳ ପାକ ଅଦିକୃତ କାଶ୍ମୀର ବା ଗୁଲାମ କାଶ୍ମୀରକୁ ନେଇ ବୋଲି ସେ କହିଛନ୍ତି ।

ପ୍ରତିରକ୍ଷାମନ୍ତ୍ରୀ ହରିୟାଣାର କାଲକାଠାରେ ଭାରତୀୟ ଜନତାପାର୍ଟିର ଜନ ଆଶୀର୍ବାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମ୍ମିଳିତ ଲୋକଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.