ଚୀନ ସହ ଉତ୍ତେଜନା: ଆମେରିକାଠୁ ଆହୁରି କିଣାଯିବ ୭୨ ହଜାର ଅସାଲ୍ଟ ରାଇଫଲ୍, ୨୨୯୦ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଚୁକ୍ତିନାମାକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ ୨୮।୦୯: ଚୀନ ସହିତ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ୨୨୯୦ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଚୁକ୍ତିନାମାକୁ ମଞ୍ଜୁରୀ ଦେଇଛି। ଏଥିରେ ଆମେରିକାରୁ ୭୨ ହଜାର ଅସାଲ୍ଟ ରାଇଫଲ କ୍ରୟ ସାମିଲ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ଏହି ରାଜିନାମା ଉପରେ ମୋହର ମାରିଛି।

ସେନା ଆମେରିକା କମ୍ପାନୀ ସିଗ୍ ସରରୁ ୭୮୦ କୋଟି ଟଙ୍କାରେ ୭୨ ହଜାର ଅସାଲ୍ଟ ରାଇଫଲ କିଣିବାକୁ ନିଷ୍ପତ୍ତି ନେଇଛି। ସେନାକୁ ପୂର୍ବରୁ ୭୨,୪୦୦ ସିଗ ସର ଅସାଲ୍ଟ ରାଇଫଲ ମିଳି ସାରିଛି। ଗତ ବର୍ଷ ଫେବୃଆରୀ ମାସରେ ୭୦୦ କୋଟି ଟଙ୍କାରେ ଏହି ଅସାଲ୍ଟ ରାଇଫଲ କିଣା ଯାଇଥିଲା।  7.62x51 mm କ୍ୟାଲିବରର ଏହି ରାଇଫଲ ଶତ୍ରୁକୁ ୫୦୦ ମିଟର ଦୂରରୁ ନିପାତ କରି ପାରିବ।

ସିଗ ସର ଅସାଲ୍ଟ ରାଇଫଲ୍ସର କ୍ରୟ ଉକ୍ତ ଯୋଜନା ଆଧାରରେ କିଣାଯିବ ଯେଉଁଥିରେ ସେନାକୁ ୮ ଲକ୍ଷ ନୂତନ ଅସାଲ୍ଟ ରାଇଫଲ ଯୋଗାଇ ଦିଆଯିବ। ନୂତନ ଅସାଲ୍ଟ ରାଇଫଲ 5.56 mm INSAS ରାଇଫଲ୍ସ ଜାଗାରେ ବ୍ୟବହୃତ ହେବ। ଏହି ରାଇଫଲକୁ ୨୨ ବର୍ଷ ପୂର୍ବେ ସେନାକୁ ଦିଆଯାଇଥିଲା। ପ୍ରାୟ ଦେଢ ଲକ୍ଷ ସିଗ ସର ରାଇଫଲ କିଣାଯିବା ପରେ ବଳକା ରାଇଫଲର ନିର୍ମାଣ ମେକ୍ ଇନ ଇଣ୍ଡିଆ ପ୍ରକଳ୍ପ ଆଧାରରେ କରାଯିବ। ଉତ୍ତର ପ୍ରଦେଶର ଅମେଟିରେ ଏକେ-୨୦୩ ଅସାଲ୍ଟ ରାଇଫଲରର ନିର୍ମାଣ ଆରମ୍ଭ ହୋଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.