୭ ଜାନୁୟାରୀକୁ ଟଳିଲା ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମାର ଶୁଣାଣି, ବ୍ୟକ୍ତିଗତ ହାଜରରୁ ରିହାତି ଦେଲେ କୋର୍ଟ
3/12/2022 at 7:21 PM

ଭିବଣ୍ଡି ୩।୧୨: ମହାରାଷ୍ଟ୍ର ଭିବଣ୍ଡିର ଏକ କୋର୍ଟ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ମାନହାନୀ ମୋକଦ୍ଦମାର ଶୁଣାଣିକୁ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି। ରାହୁଲ ଏବେ ସାରା ଦେଶରେ ‘ଭାରତ ଯୋଡୋ’ଯାତ୍ରାରେ ବ୍ୟସ୍ତ, ଏଣୁ କୋର୍ଟ ତାଙ୍କୁ ବ୍ୟକ୍ତିଗତ ହାଜରରୁ ମଧ୍ୟ ରିହାତି ଦେଇଛନ୍ତି। ମାମଲାର ଶୁଣାଣିରେ ଭିବଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଆଇ.ସି.ୱାଡିକର ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ନେତାଙ୍କ ଓକିଲ ନାରାୟଣ ଆୟର ମାନହାନୀର ଏହି ମୋକଦ୍ଦମା ଶୁଣାଣି ଲାଗି ଶନିବାର କୋର୍ଟରେ ଉପସ୍ଥାପିତ ହୋଇଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି। ମାମଲାକୁ କୋର୍ଟ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି। ସେଦିନ ମାମଲାରେ ରାହୁଲଙ୍କ ଉପସ୍ଥିତି ନେଇ ମଧ୍ୟ ଶୁଣାଣି ହେବ ବୋଲି ଆୟର କହିଛନ୍ତି।

ଶନିବାର ମାମଲାର ଶୁଣାଣି କାଳରେ ଅଭିଯୋଗକାରୀ ରାହୁଲ କୁଣ୍ଟେ ମଧ୍ୟ ଅନୁପସ୍ଥିତ ଥିଲେ। ସେ ସହରରୁ ବାହାରେ ଥିବା ଯୋଗୁ କୋର୍ଟରେ ହାଜର ହୋଇ ପାରିନଥିବା କୁହାଯାଇଛି। ତେବେ ମାମଲାଟି ରାହୁଲ ଗାନ୍ଧିଙ୍କ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ମହାତ୍ମା ଗାନ୍ଧିଙ୍କ ହତ୍ୟା ସମ୍ପର୍କିତ ବୟାନ କୁ ନେଇ ବୋଲି ଜଣାପଡିଛି।