ଜନବସତି ମୁହାଁ ବନ୍ୟଜନ୍ତୁ, ଶିମିଳିପାଳରୁ ଖସି ଆସିଥିବା ହରିଣକୁ ଉଦ୍ଧାର କଲେ ଲୋକେ
16/03/2023 at 10:25 AM

ଉଦଳା ୧୬/୦୩ : ଜନବସତି ମୁହାଁ ବନ୍ୟଜନ୍ତୁ । ଶିମିଳିପାଳରୁ ଖସି ଆସି ଜନବସତିରେ ପଶିଥିବା ଏକ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବନାଞ୍ଚଳ ଅଧୀନ ଏନଏସି ୧୨ ନମ୍ବର ୱାର୍ଡରେ ।
ସକାଳ ସମୟରେ କିଛି ଲୋକ ମର୍ଣ୍ଣିଂ ୱାକ ନିମନ୍ତେ ଯାଇଥିବା ବେଳେ ଏକ ହରିଣକୁ କିଛି କୁକୁର ଗୋଡାଉଥିବାର ଦେଖିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ଲୋକେ କୌଶଳ କ୍ରମେ ହରିଣକୁ କୁକୁରଙ୍କ କବଳରୁ ରକ୍ଷା କରି କାବୁ କରିଥିଲେ । ଏହା ପରେ ଖବର ପାଇ ଉଦଳା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ସାଙ୍ଗରେ ନେଇ ଦେବକୁଣ୍ଡ ଅଞ୍ଚଳରେ ଛାଡି ଦେଇଥିବା ଜଣାଯାଇଛି । ତେବେ ଗତ ୭ ତାରିଖରେ ଉଦଳା ବନାଞ୍ଚଳ ଅଧୀନ ଖୀରପଦା ଗ୍ରାମରେ ମଧ୍ୟ ଗୋଟିଏ ହରିଣକୁ ଚାରି ଗୋଟି କୁକୁର ଝୁଣିବାକୁ ଚେଷ୍ଟା କରିଥିବା ବେଳେ ତାକୁ ଉଦ୍ଧାର କରାଯାଇଥିଲା । ଗୋଟିଏ ଦିନରେ ହିଁ ତାହାର ମୃତ୍ୟୁ ହୋଇଥିଲା ।
ସେହିପରି ନଭେମ୍ବର ମାସରେ ଏକ ସମ୍ବର ଜନବସତିକୁ ପଶି ଆସିଥିବା ବେଳେ ତାହାର ମୃତ୍ୟୁ ହୋଇଥିଲା । ଶିମିଳିପାଳରେ ଲଗାତାର ନିଆଁ ଲାଗି ଚାଲିଥିବାରୁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ ଏବଂ ଯାଉଛି ସେମାନଙ୍କ ଜୀବନ । ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ବନ ବିଭାଗର ଅବହେଳା ପଦାରେ ପଡିଛି…