ବାଫଟା ଆୱାର୍ଡସ୍‌ରେ ଭାରତୀୟଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ ଦୀପିକା, ପୁରସ୍କାର ପ୍ରଦାନ କଲେ ଅଭିନେତ୍ରୀ

Published By : Prameya-News7 Bureau | February 20, 2024 IST

ମୁମ୍ଵାଇ ୨୦।୦୨: ପୁରସ୍କାର ପ୍ରଦାନ କଲେ ଦୀପିକା ବାଫ୍‌ଟା ଆୱାର୍ଡସ୍‌-୨୦୨୪ରେ ଭାରତୀୟଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ର ଲୀଲା ଦୀପିକା ପାଦୁକୋନ । ପ୍ରେଜେଣ୍ଟର୍‌  ଭାବେ ସେ ବାଫ୍‌ଟା ମଞ୍ଚରେ ପହଞ୍ଚିଥିଲେ । ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲ୍‌ରେ ଅନୁଷ୍ଠିତ ଏହି ସମାରୋହରେ ତାଙ୍କ  ଉପସ୍ଥିତି ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ହୋଇଛି । ଡିଜାଇନର୍‌ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଶିମରି ଗୋଲ୍ଡ ଶାଢ଼ି  ପିନ୍ଧି ପ୍ରଥମ ଥର ସେ ବାଫ୍‌ଟା ମଞ୍ଚକୁ ଓହ୍ଲାଇଥିଲେ।

ଶ୍ରେଷ୍ଠ ଅଣ-ଇଂରାଜୀ ଚଳଚ୍ଚିତ୍ର ବିଭାଗରେ ‘ଦ ଜୋନ୍‌ ଅଫ୍‌ ଇଣ୍ଟରେଷ୍ଟ୍‌’  ବିଜେତା ହୋଇଥିଲା । ଏହି ପୁରସ୍କାର ପାଇଁ ଦୀପିକା ଫିଲ୍ମର ନିର୍ଦ୍ଦେଶକ ଜୋନାଥନ୍‌ ଗ୍ଲେଜର୍‌ଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ  ଏବଂ ତାଙ୍କୁ ବାଫ୍‌ଟା ପୁରସ୍କାର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ‘ଦ ଜୋନ୍‌ ଅଫ୍‌ ଇଣ୍ଟରେଷ୍ଟ୍‌’ ମାର୍ଟିନ୍‌ ଅମିସ୍‌ଙ୍କ ଲିଖିତ ୨୦୧୪  ମସିହାର ଉପନ୍ୟାସ ଉପରେ ପର୍ଯ୍ୟବସିତ । ବାଫ୍‌ଟା ଆୱାର୍ଡସ୍‌ରେ ନିଜର ହଟ୍‌କେ ଅନ୍ଦାଜ୍‌ ପାଇଁ ଦୀପିକା ପୁଣି ଥରେ ଅନ୍ତର୍ଜାତୀୟ  ସ୍ତରରେ ସବୁରି ଧ୍ୟାନ ଆକର୍ଷଣ କରିଥିଲେ । ତାଙ୍କ ରେଡ୍‌ କାର୍ପେଟ୍‌ ଲୁକ୍‌ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।

୨୦୨୩ ମସିହାରେ ଦୀପିକା  ଅସ୍କାରରେ ପ୍ରେଜେଣ୍ଟର୍‌ ଭାବେ ନଜର ଆସିଥିଲେ । ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତର ପରିଚୟ ସେ ଅସ୍କାର ମଞ୍ଚରେ  ଦେଇଥିଲେ । ତେବେ ପ୍ରଥମ ଥର ଅନ୍ତର୍ଜାତୀୟ ମଞ୍ଚରେ ଶାଢ଼ି ପିନ୍ଧିନାହାନ୍ତି ଦୀପିକା । ଗତ ବର୍ଷ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ସେ ରୋହିତ  ବାଲ୍‌ କ୍ରିଏସନ୍‌ର ଶାଢ଼ି ପିନ୍ଧିଥିଲେ । ୨୦୨୨ ମସିହାରେ କାନ୍‌ ମହୋତ୍ସବରେ ଜୁରି ଭାବେ ମଧ୍ୟ ସେ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ି ପିନ୍ଧିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.