ପାକିସ୍ତାନର ସବୁଠୁ ଧନୀ ହିନ୍ଦୁ ହେଉଛନ୍ତି ଦୀପକ ପେରଭାନୀ, ଜାଣନ୍ତୁ କରନ୍ତି କଣ, କେତେ ତାଙ୍କର ନେଟୱର୍ଥ?
16/03/2023 at 8:22 PM

ଇସ୍ଲାମାବାଦ ୧୬।୩: ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। ଦୈନନ୍ଦିନ ଖାଇବା ପିଇବା ସାମଗ୍ରୀ ଯୋଗାଡ କରିବା ଲୋକଙ୍କ ଲାଗି ଏବେ କାଠିକର ପାଠ ହୋଇଯାଇଛି। ଦେଶରେ ମୂଲ୍ୟବୃଦ୍ଧି ଚରମ ସୀମାରେ ପହଞ୍ଚିଥିବା ବେଳେ ଲୋକେ ଖାଦ୍ୟପଦାର୍ଥ ଲାଗି ନିଜନିଜ ମଧ୍ୟରେ ଚଡାଛଡି ହେଉଛନ୍ତି। ପାକିସ୍ତାନ ହିନ୍ଦୁଙ୍କୁ ଦେଶରେ ଦ୍ୱିତୀୟ ଶ୍ରେଣୀର ନାଗରିକ ମନେ କରାଯାଏ। ତେବେ ତମାମ ବିପରୀତ ପରିସ୍ଥିତିରେ ବି ଏପରି କିଛି ହିନ୍ଦୁ ଅଛନ୍ତି ଯେଉଁମାନେ ଧନସମ୍ପତ୍ତି ଅର୍ଜନ କରିବା ସହ ଦେଶରେ ନିଜର ନାମ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ଏପରି ଜଣେ ହିନ୍ଦୁ ହେଉଛନ୍ତି ଦୀପକ ପେରଭାନୀ, ଯାହାଙ୍କୁ ଦେଶର ଧନୀକଙ୍କ ମଧ୍ୟରେ ଗଣାଯାଏ।

୧୯୭୩ ମସିହାରେ ପାକିସ୍ତାନର ମୀରପୁରରେ ଜନ୍ମିତ ଦୀପକ ଜଣେ ପ୍ରଶିଦ୍ଧ ଫ୍ୟାସନ ଡିଜାଇନର ଓ ଅଭିନେତା। ଦୀପକ ପାକିସ୍ତାନରେ ହିନ୍ଦୁ ସିନ୍ଧିଙ୍କ ସହ ସମ୍ପର୍କିତ । ସେ ପାକିସ୍ତାନ ଫ୍ୟାସନ ଉଦ୍ୟୋଗରେ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ୨୦୨୨ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ତାଙ୍କର ବାର୍ଷିକ ନେଟୱର୍ଥ ୭୧ କୋଟି ଟଙ୍କା। ଦୀପକ ଜଣେ ଅଭିନେତା ମଧ୍ୟ। ସେ ସେ ଲୋକପ୍ରୀୟ ଟିଭି ସିରିଏଲ ‘ମେରେ ପାସ୍ ପାସ୍’ ଓ ‘କଦୁରତ’ରେ ଅଭିନୟ କରିଛନ୍ତି। ଏହା ଛଡା ତାଙ୍କ ରୋମାଣ୍ଟିକ କମେଡି ‘ପଞ୍ଜାବ ନେହିଁ ଯାଉଙ୍ଗା’ ମଧ୍ୟ ବେଶ୍ ଲୋକପ୍ରୀୟ ହୋଇଥିଲା।

ଦୀପକ ପେରଭାନୀଙ୍କ ଭାଇ ନବୀନ ମଧ୍ୟ ଜଣେ ପ୍ରଶିଦ୍ଧ ଖେଳାଳି। ନବୀନଙ୍କ ଜନ୍ମ ୩୦ ଅକ୍ଟୋବର ୧୯୭୧ରେ ହୋଇଥିଲା। ନବୀନ ପାକିସ୍ତାନର ଜଣେ ସ୍ନୁକର ଖେଳାଳି। ୨୦୦୬ ଦୋହା ଏସିଆଡରେ ନବୀନ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ହିନ୍ଦୁଙ୍କୁ ଦେଶରେ ଦ୍ୱିତୀୟ ଶ୍ରେଣୀର ନାଗରିକ ମନେ କରାଯାଏ। ହିନ୍ଦୁଙ୍କ ଉପରେ ଅତ୍ୟାଚାର ପାକିସ୍ତାନରେ ସାଧାରଣ ଘଟଣା। ହିନ୍ଦୁଙ୍କ ଝିଅଙ୍କୁ ଉଠାଇ ନେଇ ସେମାନଙ୍କର ଧର୍ମ ପରିବର୍ତ୍ତନ କରି ବିବାହ ଦେଶରେ ସାଧାରଣ କଥା।