ଦୀପକ ହୁଡ୍ଡା ଭାଙ୍ଗିଲେ ବିଶ୍ଵ ରେକର୍ଡ, ଲଗାତାର ୧୬ ମ୍ୟାଚ୍ ଜିତିବାରେ ହେଲେ ପ୍ରଥମ ଖେଳାଳି
20/08/2022 at 9:58 PM

ନୂଆଦିଲ୍ଲୀ: ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ନେତୃତ୍ଵାଧୀନ ବୋଲରଙ୍କ ଦମଦାର ପ୍ରଦର୍ଶନ ଦମରେ ଭାରତ ଦ୍ଵିତୀୟ ଦିନିକିଆରେ ଶନିବାର ଜିମ୍ବାଓ୍ଵେକୁ ୫ ଓ୍ଵିକେଟ୍ରେ ହରାଇଛି। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ଜିମ୍ବାଓ୍ଵେ ବିପକ୍ଷରେ ମିଳିଥିବା କ୍ରମାଗତ ଦ୍ଵିତୀୟ ବିଜୟ ସହିତ ଦୀପକ ହୁଡ୍ଡା ନିଜ ନାମରେ ଏକ ବିଶ୍ଵ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍ରେ ପଦାର୍ପଣ କରିବା ପରଠୁ ହୁଡ୍ଡା ୧୬ଟି ମ୍ୟାଚ୍ ଖେଳିଛନ୍ତି ଏବଂ ଭାରତ ସବୁ ମ୍ୟାଚ୍ ଜିତିଛି।
ଦୀପକ ହୁଡ୍ଡାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏ ପର୍ଯ୍ୟନ୍ତ ଚମତ୍କାର ରହିଛି। ସେ ଦଳରେ ରହିଲେ ଭାରତର ବିଜୟ ଗ୍ୟାରେଣ୍ଟି ସୁନିଶ୍ଚିତ ରହୁଛି। ଚଳିତ ବର୍ଷ ଆରମ୍ଭରେ ହୁଡ୍ଡାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଏହା ପରଠୁ ସେ ଯେତେ ମ୍ୟାଚ୍ ଖେଳିଛନ୍ତି ଭାରତ ସବୁ ମ୍ୟାଚ୍ରେ ବିଜୟୀ ହୋଇଛି। ଏଥିସହ ହୁଡ୍ଡା ରୋମାନିଆର କ୍ରିକେଟର ସାତ୍ତ୍ଵିକ ନାଦିଗୋତଲାଙ୍କ ଲଗାତାର ୧୫ ବିଜୟର ରେକର୍ଡ ଭାଙ୍ଗିଛନ୍ତି। ୧୬ଟି କ୍ରମାଗତ ବିଜୟ ସହ ଏହି ରେକର୍ଡ ନିଜ ନାମରେ କରିଛନ୍ତି ଦୀପକ ହୁଡ୍ଡା।
ମ୍ୟାଚ୍ ଉପରେ ନଜର ପକାଇଲେ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ଵେ ୩୮.୧ ଓଭରରେ ୧୬୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ସିନ ଓ୍ଵିଲିୟମନ୍ସ ସର୍ବାଧିକ ୪୨ ରନ ଏବଂ ରିୟାନ ବୁର୍ଲ ୩୯ ରନ କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଲକ୍ଷ୍ୟର ପିଛା କରି ଭାରତ ଦ୍ରୁତ ବ୍ୟାଟିଂ କରି ୨୫.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ସଞ୍ଜୁ ସାମସନ ଅପରାଜିତ ୪୩ ରନ କରି ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍ ପ୍ରତ୍ୟେକ ୩୩ ରନ କରିଛନ୍ତି। ଦୀପକ ହୁଡ୍ଡା ୨୫ ରନ କରିଛନ୍ତି।