ନୂଆଦିଲ୍ଲୀ ୧୫/୦୬: ନୂଆଦିଲ୍ଲୀ,୧୫/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଅନ୍ୟତମ ଚର୍ଚ୍ଚିତ ଖେଳାଳି ଭାବେ ଉଭା ହୋଇଛନ୍ତି ୟୁଏସ୍ଏର ପ୍ରମୁଖ ଫାଷ୍ଟ୍ ବୋଲର ସୌରଭ ନେତ୍ରାଭଲକର । ସେ ପାକିସ୍ତାନ ଓ ଭାରତ ବିପକ୍ଷ ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରି ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ।
ୟୁଏସ୍ଏ ପକ୍ଷରୁ କ୍ରିକେଟ୍ ଖେଳିବା ସହ ସେ ଅଫିସ୍ କାର୍ଯ୍ୟ ମଧ୍ୟ ଜାରି ରଖିଥିବା ତାଙ୍କ ଭଉଣୀ ନିଧି ସୂଚନା ଦେଇଛନ୍ତି । ନେତ୍ରାଭଲକର ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ ଓରାକଲ କମ୍ପାନୀରେ ଚାକିରି କରୁଛନ୍ତି । ନିଧି କହିଛନ୍ତି, ବିଶ୍ୱକପ୍ ମ୍ୟାଚ୍ ଶେଷ ହେବା ପରେ ନେତ୍ରାଭଲକର ହୋଟେଲରେ ପହଞ୍ଚି ଅଫିସ୍ କାର୍ଯ୍ୟ କରନ୍ତି ।
ସେ କ୍ରିକେଟ୍ ଏବଂ ଚାକିରିକୁ ସମାନ ଗୁରୁତ୍ୱ ଦେଇ ଆସିଛନ୍ତି । କ୍ରିକେଟରୁ ଦୂରରେ ଥିଲେ ସେ ଚାକିରି ପାଇଁ ୧୦୦% ଦିଅନ୍ତି । ଏପରିକି ସବୁଆଡ଼େ ଲାପଟପ୍ ଧରି ଯାଇଥାନ୍ତି । ଭାରତ ଆସିଲେ ସେ ଲାପଟପ୍ରେ ଅଫିସ୍ କାର୍ଯ୍ୟ କରନ୍ତି । ନେତ୍ରାଭଲକର ମୁମ୍ବାଇରେ ବଢ଼ିଛନ୍ତି । ତାଙ୍କ ନିକଟରେ ମୁମ୍ବାଇର ଜୀବନଶୈଳୀ ଏବେ ବି ରହିଛି ।’
ସୂଚନାଥାଉକି, ନେତ୍ରାଭଲକର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୟୁଏସ୍ଏର ସୁପର ଓଭର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ୪ଓଭରରେ ୨ଟି ୱିକେଟ୍ ନେଇଥିଲେ । ସୁପର ଓଭରରେ ୧୮ରନ୍ ଡିଫେଣ୍ଡ କରି ଦଳକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ । ଏହି ଓଭରରେ ସେ ୧୩ରନ୍ ପ୍ରଦାନ କରି ଗୋଟିଏ ୱିକେଟ୍ ନେଇଥିଲେ । ସେହିପରି ଭାରତ ବିପକ୍ଷ ମ୍ୟାଚ୍ରେ ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉଟ୍ କରିଥିଲେ ।