ନୂଆଦିଲ୍ଲୀ ୨୬।୧୦: ଟ୍ୱିଟରରେ ଲଗାତାର ଟ୍ୱିଟ୍ କରୁଥିବା ୟୁଜର ଆଉ ପୂର୍ବ ଭଳି ଆକ୍ଟିଭ ନାହାନ୍ତି। ନିୟମିତ ସାଇଟ୍ର ଉପଯୋଗ କରୁଥିବା ୟୁଜରଙ୍କ ଋଚିରେ ହ୍ରାସ ଦେଖା ଦେଇଛି। ଏହି ସୂଚନା ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ହାତରେ ଲାଗିଥିବା ଇଣ୍ଟରନାଲ ଡକ୍ୟୁମେଣ୍ଟରୁ ଜଣାପଡିଛି। ଡକ୍ୟୁମେଣ୍ଟରେ ସବୁଦିନ ଲଗଇନ କରୁଥିବା ଓ ସପ୍ତାହକୁ ଅନ୍ତତଃ ୩ରୁ ୪ ବାର ଟ୍ୱିଟ୍ କରୁଥିବା ଲୋକଙ୍କୁ ହେଭି ଟ୍ୱିଟର ଭାବେ ପରିଭାଷିତ କରାଯାଇଛି। ଏମାନେ ସାଇଟ୍ ୟୁଜରଙ୍କ ଏକ ଛୋଟ ହେଲେବି ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଏପରି ୟୁଜର କମ୍ପାନୀ ଲାଗି ବୈଶ୍ୱିକ ରାଜସ୍ୱର ୯୦ ପ୍ରତିଶତ ଜେନେରେଟ କରୁଥିଲେ। ହେଲେ ସେମାନେ ଏବେ ଗଲେ କୁଆଡେ? ତାହାହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ।
ସୂଚନା ଅନୁସାରେ ହେଭିଟ୍ୱିଟରଙ୍କ ଆକ୍ଟିଭିଟି କରୋନା ଭାଇରସ ମହାମାରୀ କାଳରେ ହ୍ରାସ ହୋଇଥିଲା। ତେବେ ଏମାନେ କୁଆଡେ ଗଲେ ଏବଂ କାହିଁକି ଯାଉଛନ୍ତି ତାହା ଏବେବି ଅସ୍ପଷ୍ଟ। ଏମିତିରେ ହେଭି ଟ୍ୱିଟର ସେମାନଙ୍କ ଆକାଉଣ୍ଟ ଡିଜାବଲ କରି ଦେଇଥାନ୍ତି ଓ ଯେଉଁମାନେ ସକ୍ରିୟ ରହନ୍ତି ସେମାନେ ସେହିସବୁ ବିଷୟ ଆଡକୁ ଯାଆନ୍ତି ଯେଉଁଥି ଲାଗି ଟ୍ୱିଟର ପାରମ୍ପରିକ ରୂପେ ଅନାଗ୍ରହୀ। ରିପୋର୍ଟ ଅନୁସାରେ ୟୁଜରଙ୍କ ଲୋକପ୍ରିୟ ବିଷୟ ଯେପରିକି ନ୍ୟୁଜ୍, ସ୍ପୋର୍ଟସ୍ ଓ ମନୋରଞ୍ଜନରେ ଋଚି କମ ହୋଇଗଲାଣି। ଏହା ଛଡା ଟ୍ୱିଟର ଫ୍ୟାସନ ଓ ପ୍ରଶିଦ୍ଧ ବ୍ୟକ୍ତିଙ୍କ ଠାରେ ଋଚି ରଖୁଥିବା ହେଭି ଟ୍ୱିଟରଙ୍କୁ ମଧ୍ୟ ହରାଉଛି।
ଏକ ଟ୍ୱିଟର ରିସର୍ଚ୍ଚର କହିବା କଥା ହେଲା ଫ୍ୟାସନ ଓ ପ୍ରଖ୍ୟାତ ବ୍ୟକ୍ତି ଭଳି ବିଷୟ ଉପରେ ଋଚି ରଖୁଥିବା ୟୁଜରଙ୍କ ସଂଖ୍ୟା ହ୍ରାସର କାରଣ ଇଂଷ୍ଟାଗ୍ରାମ ଓ ଟିକଟକ୍କୁ ଦିଆଯାଇପାରେ। ପୂର୍ବରୁ ଇ-ସ୍ପୋର୍ଟସ ଓ ଷ୍ଟ୍ରିମିଂ ପର୍ସନାଲିଟି ହେଭି ଟ୍ୱିଟର ୟୁଜରଙ୍କ ଋଚିର କ୍ଷେତ୍ର ଥିଲା। ଏବେ ସେମାନଙ୍କ ଆକ୍ଟିଭିଟି ସମ୍ଭବତଃ ଭିଡିଓ ଫ୍ରେଣ୍ଡଲି ୱେବସାଇଟ୍ ଯେପରିକି ଟ୍ୱିଚ୍, ୟୁଟ୍ୟୁବ୍ ଓ ଟିକଟକ୍ରେ ବଢୁଛି। ପୂର୍ବରୁ ବ୍ରେକିଂ ନ୍ୟୁଜ ଫଲୋ କରିବା ପାଇଁ ଟ୍ୱିଟର ଏକ ମାଧ୍ୟମ ଥିଲା। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନ୍ୟୁଜ୍ ଆକ୍ଟିଭିଟିଜ୍ ଏବେ ଟିକଟକ୍ରେ ଆରମ୍ଭ ହୋଇଯାଇଛି।
ପ୍ୟୁ ରିସର୍ଚ୍ଚ ଅନୁସାରେ ଆମେରିକାର ଅଧିକତର ଲୋକେ ଏବେ ଟିକଟକ୍ରୁ ଖବର ହାସଲ କରୁଛନ୍ତି। ରିପୋର୍ଟ ଅନୁସାରେ ଟିକଟକ୍ରୁ ନ୍ୟୁଜ ହାସଲ କରୁଥିବା ଆମେରିକୀୟ ଲୋକଙ୍କ ସଂଖ୍ୟା ୨ ବର୍ଷରେ ୩ ଗୁଣା ବଢିଛି। ୨୦୨୦ରେ ଏହି ସଂଖ୍ୟା ମାତ୍ର ୩ ପ୍ରତିଶତ ଥିଲା। ତେବେ ୨୦୨୨ରେ ଏହା ୧୦ ପ୍ରତିଶତକୁ ପହଞ୍ଚି ଯାଇଛି। ତେବେ ଟ୍ୱିଟର ୟୁଜର ନ୍ୟୁଜ ଜାଣିବା ଲାଗି ଟିକଟକକୁ ଯାଉଥିବାର ପ୍ରମାଣିତ କରିବା ପାଇଁ ଏହା ଯଥେଷ୍ଟ ନୁହେଁ।
ଅଧ୍ୟୟନ ଅନୁସାରେ ୨୬ ପ୍ରତିଶତ ଆମେରିକୀୟ ସେମାନଙ୍କୁ ନିୟମିତ ରୂପେ ଟିକଟକ୍ରୁ ଖବର ମିଳୁଥିବାର କହୁଛନ୍ତି। ଏହି ସଂଖ୍ୟା ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ। ଏହା ବିପରୀତ ଅନ୍ୟ ସୋସିଆଲ ମିଡିଆ ସାଇଟ୍ମାନଙ୍କରେ ନ୍ୟୁଜର ବ୍ୟବହାରରେ ହ୍ରାସ ଦେଖାଯାଇଛି ବା ପୂର୍ବ ଭଳି ସମାନ ରହିଛି। ତେବେ ଏହା ଦେଖିବାର କଥା ହେଲା ହେଭି ଟ୍ୱିଟରଙ୍କ କଥିତ ହ୍ରାସ ପ୍ରସଙ୍ଗରେ ଏବେ ଟ୍ୱିଟର କିଛି କରୁଛି କି ନା ।